ମଦମୁକ୍ତ ପାଣିଗାଁ ଗଠନ ଦାବୀ: ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ମଦମୁକ୍ତ ମହିଳା ମୋର୍ଚ୍ଚା ଓ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଲମପୁର ଥାନା ଅଂଚଳରେ ପ୍ରତ୍ୟେକ ଗାଁରେ ରହିଛି ଏକାଧିକ ମଦ କୋଠୀ । ଦେଶୀ ବିଦେଶୀ ସମେତ ହାତରନ୍ଧା ମଦ ବିକ୍ରି ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ପାଣିଗାଁ ମହିଳା ଗୋଷ୍ଠୀର ସଦସ୍ୟା । ପାଣିଗାଁରେ ୧୧ ଜଣ ବ୍ୟକ୍ତି ଦେଶୀ, ବିଦେଶୀ ଏବଂ ହାତରନ୍ଧା ମଦ ବିକ୍ରି କରୁଥିବା ନେଇ ଗ୍ରାମବାସୀ ଏକତ୍ରିତ ହୋଇ କଲମପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଗ୍ରାମ ପରିକ୍ରମା କରି ମଦ ବେପାର କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ ରହିବା ପାଇଁ ସୂଚନା ଦେଇଥିଲେ । କଲମପୁର ପୁଲିସ ମଧ୍ୟ ମଦ ବେପାରରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଗ୍ରାମବାସୀଙ୍କ ଦାବୀ ମୁତାବକ ମଦ ବିକ୍ରି ବନ୍ଦ କରିବା ପାଇଁ ସୂଚନା ଦେଇଥିଲେ । କିନ୍ତୁ ଅଦ୍ୟାବଧି ମଦ ବେପାରୀ ଖୁଲମ୍ ଖୁଲା ମଦ ବିକ୍ରି କରୁଥିବାରୁ ମଙ୍ଗଳବାର ଦିନ ସାଢେ଼ ୧୨ଟା ବେଳେ , ଶତାଧିକ ମହିଳା ଭବାନୀପାଟଣା ଯାଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ ସମେତ ଏସପି କଳାହାଣ୍ଡି ଓ ଏସପି ଅବକାରୀ ବିଭାଗଙ୍କୁ ସାକ୍ଷାତ କରିବା ସହ ମଦ ବନ୍ଦ କରିବା ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ସମାଜସେବୀ ଭାରତ ଭୁଷଣ ମୁଣ୍ଡ, ଶରତ ଚନ୍ଦ୍ର ମୁଣ୍ଡ, ଅମୂଲ୍ୟ ମୁଣ୍ଡ, ପୂର୍ଣ୍ଣଚନ୍ଦ୍ର ବେହେରା, ହୃଷିକେଶ ବେହେରା, ଭଦ୍ରାଞ୍ଚଳ ନାୟକଙ୍କ ସମେତ କମଳା ଲୋହୋରା, ନିରୁପମା ନାଏକ, ବାସନ୍ତୀ ନାଏକ, ଘସେନ ନାଗ, କବିତା ରାଉତ, ବିଳାସ ଗହିର, ସବିତା ଲହଜଲ୍, ମାଧବୀ ନାଗ, ସଭ୍ୟା ନାଗ, ସରାବତୀ ବାଗ, ହେମବତି ହାତୀ, ଯମୁନା ରାଉତ, ପୂର୍ଣ୍ଣମୀ ଭୋଇ, କ୍ଷୀର ବାଗ, ଚନ୍ଦ୍ରିକା ରାଉତ, ତୁଲସା ମାଝୀ, ମରୁଆ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.