କର୍ଲାଗୁଡା ସ୍କୁଲରେ ଶିକ୍ଷକଙ୍କ ମନ ଇଚ୍ଛା ଉପସ୍ଥାନ !

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା କର୍ଲାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ମନ ଇଚ୍ଛା ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି। ଡିଉଟିରେ ଥିବା ଶିକ୍ଷକ ମଧ୍ୟ ସ୍କୁଲ ଛାଡ଼ି ନିଜ ବ୍ୟକ୍ତିଗତ କାମରେ ଯାଉଥିବା ଅଭିଯୋଗ ହେଉଛି। ମଙ୍ଗଳବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛୁଟିରେ ରହିଥିବାବେଳେ ଅନ୍ୟଜଣେ ସହ ଶିକ୍ଷକ ଦିର୍ଘ ଦିନ ହେଲା ବିଦ୍ୟାଳୟକୁ ଆସୁ ନଥିବାରୁ ନିକଟସ୍ଥ ବୋବରିଆ ସ୍କୁଲର ଜଣେ ଶିକ୍ଷକଙ୍କୁ ଦାୟିତ୍ଵ ଦିଆଯାଇଥିଲା। ହେଲେ ସଂମ୍ପୃକ୍ତ ଶିକ୍ଷକ ସକାଳୁ ସ୍କୁଲ୍ ଆସିଥିବା ବେଳେ ୧୨ଟା ପରେ ସ୍କୁଲରେ ନଥିଲେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ସ୍କୁଲ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏନେଇ କିଛି ଗଣମାଧ୍ୟମ  ପ୍ରତିନିଧି ଛାତ୍ରଛାତ୍ରୀ ଓ ପାଚିକାଙ୍କୁ ପଚାରିବାରୁ ଘରର ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ଶିକ୍ଷକ ଜଣକ ସ୍କୁଲ ଛାଡ଼ି ଯାଇଥିବା କହିଥିଲେ। ସବୁଠାରୁ ବଡ଼ କଥା ହେଲା ଏହି ବିଦ୍ୟାଳୟରେ ଥିବା ଅନ୍ୟଜଣେ ସହ ଶିକ୍ଷକ ମାନସ ରଞ୍ଜନ ସାହୁ କୌଣସି ଛୁଟି ନ ନେଇ ଗତ ଗଣେଶ ପୂଜା ପରଠାରୁ ବିଦ୍ୟାଳୟକୁ ଆଦ୍ୟୋ ଆସୁ ନଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିକ୍ଷକ ଜଣକ ବିଦ୍ୟାଳୟକୁ ଆସୁ ନ ଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟଟି ଜଣେ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକଙ୍କ ଭରଷାରେ ଚାଲି ଆସିଛି। ତେବେ ଏହି ସ୍କୁଲରେ ଥିବା ସହ ଶିକ୍ଷକ ମାନସ ରଞ୍ଜନ ସାହୁ କାହିଁକି ସ୍କୁଲ ଆସୁ ନାହାନ୍ତି। ଜଣେ ଶିକ୍ଷକ ଛୁଟିରେ ଗଲେ ଅନ୍ୟ ସ୍କୁଲର ଶିକ୍ଷକଙ୍କୁ ଦାୟିତ୍ଵ ଦେବାକୁ ପଡୁଛି। ବିଗତ ଦିନର କୌଣସି ଘଟଣାକୁ ବାହାନା କରି ସମ୍ପୃକ୍ତ ଶିକ୍ଷକ ଉକ୍ତ ସ୍କୁଲକୁ ଆସୁ ନଥିବା ବେଳେ ଶିକ୍ଷା ବିଭାଗର ଜଣେ ଅଧିକାରୀ ତାଙ୍କୁ ସୁରକ୍ଷା ଦେଉଥିବା ଅନ୍ୟ ସ୍କୁଲର ଶିକ୍ଷକ ମାନେ ଚର୍ଚ୍ଚା ଆଲୋଚନା କରୁଛନ୍ତି। ଏବେ ଶିକ୍ଷକ ଜଣକ ବିଇଓ କାର୍ଯ୍ୟାଳୟରେ ବସି ରହୁଛନ୍ତି। କେଉଁ ସ୍କୁଲକୁ ଯିବା ପାଇଁ ମଧ୍ୟ କୁଆଡେ ଇଚ୍ଛା କରୁ ନଥିବା କଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଶିକ୍ଷକଙ୍କୁ ଶିକ୍ଷା ବିଭାଗର କେଉଁ ଅଧିକାରୀ ଅହେତୁକ ଅନୁକମ୍ପା ଦେଖାଇ ସ୍କୁଲକୁ ପଠାଉ ନାହାଁନ୍ତି କିମ୍ବା ଡିଉଟିରେ ଅବହେଳା ଯୋଗୁଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ତାହା ଜିଲ୍ଲା ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି। ଅନ୍ୟପଟେ ଯଦି ସମ୍ପୃକ୍ତ ଶିକ୍ଷକ ସ୍କୁଲ ଫେରୁ ନାହାଁନ୍ତି ତେବେ ତାଙ୍କ ବଦଳରେ ନୂତନ ଶିକ୍ଷକ ଦେବାପାଇଁ କର୍ଲାଗୁଡା ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ପଚାରିବାରୁ ଶିକ୍ଷକ ପ୍ରତି କୌଣସି ଘଟଣା କାରଣରୁ ସୁରକ୍ଷା ଦୃଷ୍ଟିରେ ନିକଟସ୍ଥ କୋକସରା ସ୍କୁଲରେ ଡିଉଟି କରୁଛନ୍ତି ବୋଲି କହିଥିଲେ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.