ଦୁର୍ଗମ କୁନ୍ନାକାଡୁ ଗାଁର ୨ ଝିଅ ଓ ୧୨ ଆଦିବାସୀ ପିଲାଙ୍କୁ ବିଭିନ୍ନ ସ୍କୁଲରେ ଥଇଥାନ କଲେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡର ପାଦ ଦେଶରେ ଥିବା କୁନ୍ନାକାଡୁ ଗ୍ରାମର ଦୁଇ ଝିଅଙ୍କ ସହ ୧୨ ଆଦିବାସୀ ପିଲାଙ୍କୁ ଲାଞ୍ଜିଗଡ଼ ବ୍ଲକ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ ଲାଞ୍ଜିଗଡ଼ର ବିଭିନ୍ନ ଆଦିବାସୀ ହଷ୍ଟେଲ ସ୍କୁଲରେ ଥଇଥାନ କରିଛନ୍ତି।ପୂର୍ବରୁ ଏହି ଦୁଇ ଝିଅ ସମେତ ୧୨ ଜଣ ମଧ୍ୟରୁ କିଛି ପିଲା ତ୍ରିଲୋଚନପୁର ଓ ଖେମୁଣ୍ଡିପଦର ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ୬କିମି ଦୂର ଜଙ୍ଗଲ ରାସ୍ତାରେ ନିୟମିତ ସ୍କୁଲ ଯିବା ସମ୍ଭବ ହେଉନଥିଲା। ଗତ ୩ ତାରିଖରେ କୁନ୍ନାକାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୬)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବାବେଳେ ସେହି ଦିନଠାରୁ ପିଲା ସ୍କୁଲ ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ କୁନ୍ନାକାଡୁ ଗାଁକୁ ପାଦରେ ଚାଲିଚାଲି ଯାଇ ଗାଁ ଲୋକ ଓ ପିଲାଙ୍କ ବାପା ମା’ ଙ୍କ ସହିତ ଆଲୋଚନା କରିବା ପରେ ଦୁଇ ଝିଅ ସମେତ ୧୨ ଜଣ ପିଲାଙ୍କୁ ଆଣି ସେଥି ମଧ୍ୟରୁ ଲାଞ୍ଜିଗଡ଼ ପିଭିଟିଜି ଆଶ୍ରମ ବିଦ୍ୟାଳୟରେ ସମ୍ବରୁ ମାଝୀ, କାଙ୍ଗୁ ମାଝୀ ଓ ମନୁ ମାଝୀଙ୍କୁ ଥଇଥାନ କରିଥିଲେ। ସେହିପରି ଦୁଇ ଗୋଟି ଝିଅ ସାମି ମାଝୀ ଓ ରଙ୍ଗୀ ମାଝୀଙ୍କୁ ବାଣିପଙ୍ଗା ବାଳିକା ଆଶ୍ରମ ସ୍କୁଲରେ ନାମ ଲେଖା ହୋଇଥିଲା।ଅନ୍ୟ ୭ ଜଣ ଛାତ୍ର ରାନୁ ମାଝୀ, ମିଶ୍ର ମାଝୀ,ରିଙ୍କୁ ମାଝୀ, ଜଟି ମାଝୀ,କାଳିଆ ମାଝୀ, ବୁଦ୍ରୀ ମାଝୀ ଓ ପାଢ଼ୀ ମାଝୀଙ୍କୁ ଲାଞ୍ଜିଗଡ଼ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମାଙ୍କିତ କରିବାର ଯୋଜନା ହୋଇଛି। ଏହି ପଦକ୍ଷେପ ଗ୍ରାମର ଶିକ୍ଷା ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନେଇଆସିଛି। ଶିକ୍ଷାକୁ ଜୀବନର ସର୍ବୋତ୍କୃଷ୍ଟ ସମ୍ପତ୍ତି ଭାବରେ ଗଣାଯାଏ। କିନ୍ତୁ କଳାହାଣ୍ଡିର ଲାଞ୍ଜିଗଡ ବ୍ଲକ ପରି ଦୁର୍ଗମ ଓ ପଛୁଆ ଅଞ୍ଚଳରେ ଦାରିଦ୍ର୍ୟ, ପରିବହନ ଅସୁବିଧା, ମୌଳିକ ସୁବିଧାର ଅଭାବ, ଓ ସଚେତନତାର ଅଭାବ ଫଳରେ ଅନେକ ଶିଶୁ ବିଦ୍ୟାଳୟରୁ ବଞ୍ଚିତ ହୋଇଥିଲେ। ତେବେ କୁନ୍ନାକାଡୁ ଗାଁର ଏହି ସଫଳ ପଦକ୍ଷେପ ଅନ୍ଧକାରକୁ ଭାଙ୍ଗିଥିବା ଆଲୋକର ଦୀପ ସାବିତ ହୋଇଛି। ଏହି ସଫଳତାରେ ଲାଞ୍ଜିଗଡ଼ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, କଳାହାଣ୍ଡି ଜିଲ୍ଲା ଆସିଷ୍ଟେଣ୍ଡ ପ୍ରୋଜେକ୍ଟ ମ୍ୟାନେଜର ଅମୂଲ୍ୟ ବଉଲ, ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂ, ଲାଞ୍ଜିଗଡ଼ କ୍ଲଷ୍ଟର ସଂଯୋଜକ ଜଳନ୍ଧର ମାଝୀଙ୍କ ପ୍ରମୁଖ ଭୂମିକା ଥିଲା। ସେମାନେ ଘରେଘରେ ଯାଇ, ଅଭିଭାବକଙ୍କ ସହିତ ସକ୍ରିୟ ସଂଳାପ କରି ଶିଶୁମାନେ ପୁଣିଥରେ ବିଦ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିଛନ୍ତି। ଏହି ପଦକ୍ଷେପ ଶିକ୍ଷାର ଆଲୋକ ମାଧ୍ୟମରେ ଗ୍ରାମକୁ ସଚେତନ କରିଛି, ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳ ପାଇଁ ପ୍ରେରଣାଦାୟକ ଉଦାହରଣ ହେବାର ଆଶା ରହିଛି। ଏହା ଦୁର୍ଗମ ଅଞ୍ଚଳରେ ଶିକ୍ଷାର ସଚେତନତା ବୃଦ୍ଧିର ପ୍ରତୀକ ହେବା ସହିତ ଗାଁକୁ ଆଲୋକମୟ ଭବିଷ୍ୟତ ପାଇଁ ପ୍ରେରଣା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.