ବାଲେଶ୍ୱର ସଦର ବ୍ଲକ୍‌ରେ ଆୟୋଜିତ ହେଲା ‘ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକର ଆୟୁଷ୍ମାନ କଲ୍ୟାଣ ମଣ୍ଡପ, ଗୋପଳଗାଁ ଠାରେ ଆଜି ‘ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫’ ଗାମ୍ଭୀର୍ଯ୍ୟ ଓ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ମେଳାର ଉଦ୍ଦେଶ୍ୟ ଥିଲା ମତ୍ସ୍ୟଚାଷ ଓ ପଶୁସଂପଦ ପ୍ରତି ଚାଷୀମାନଙ୍କ ଆଗ୍ରହ, କୌଶଳ ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହିତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକଙ୍କ ଲୋକପ୍ରତିନିଧି ଲମ୍ବୋଦର ପ୍ରଧାନ, ପଞ୍ଚାୟତ ସମିତି ସଦର ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ରବିନାରାୟଣ ପଟ୍ଟନାୟକ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶ୍ରୀ ରେଶ୍ମା ରାଣୀ ସିଂ। ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲେଶ୍ୱର, ଡ଼ା. କୃଷ୍ଣ କେଶବ ଷଡ଼ଙ୍ଗୀ। କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ଜେନା।

ମେଳାରେ ବିଭିନ୍ନ ବିଭାଗର ମୋଟ ୧୪ଟି ପ୍ରଦର୍ଶନୀ ଷ୍ଟଲ ସ୍ଥାପିତ ହୋଇଥିଲା; ପ୍ରାଣୀ ସମ୍ପଦ ବିକାଶ ବିଭାଗର ୪, ମତ୍ସ୍ୟ ବିଭାଗର ୪, ପଞ୍ଜିକରଣ ୨, କୃଷି ବିଭାଗ ୧, ଉଦ୍ୟାନ କୃଷି ବିଭାଗ ୧, ମିଶନ ଶକ୍ତି ୧ ଓ ଓମଫେଡ୍ ୧। ଅତିଥିମାନେ ସମସ୍ତ ଷ୍ଟଲ ପରିଦର୍ଶନ କରି ବିଭିନ୍ନ ପ୍ରଦର୍ଶନୀ ସମ୍ପର୍କରେ ସୂଚନା ନେଇଥିଲେ।

ମେଳାରେ ମୋଟ ୮ ଜଣ ସଫଳ ଚାଷୀଙ୍କୁ ପ୍ରାଣୀ ସମ୍ପଦ ବିଭାଗର ୪ ଓ ମତ୍ସ୍ୟ ବିଭାଗର ୪ ଜଣଙ୍କୁ ୧୦୦୦/-, ଉତ୍ତରୀୟ ଓ ସ୍ମୃତିଚିହ୍ନ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହା ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଅନ୍ୟ ୪ ଜଣ ଉତ୍ସାହୀ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ବ୍ଲକ୍ କଳା ସଂସ୍କୃତି ସଂଘର ଅନୁବନ୍ଧିତ ଗ୍ରୁପ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ପାଲା ଓ ନାଟ୍ୟ ପରିବେଷଣ ମେଳାକୁ ଆନନ୍ଦମୁଖର କରିଥିଲା। ଚାଷୀ ବିଭାଗୀୟ ଅଧିକାରୀମାନଙ୍କ ସହ ମତ ବିନିମୟ ଅଧିବେଶନରେ ଚାଷୀମାନେ ତାଙ୍କ ଅଭିଜ୍ଞତା ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ। ସଦର ବ୍ଲକର ୩୭ ପଞ୍ଚାୟତର ମୋଟ ୭୪୦ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀ ଏହି ମେଳାରେ ଯୋଗ ଦେଇଥିଲେ। ଏହି ମେଳା ମତ୍ସ୍ୟ ଓ ପଶୁସଂପଦ କ୍ଷେତ୍ରର ବିକାଶ, ଚାଷୀମାନଙ୍କ ସ୍ୱାଧୀନତା ଓ ଆର୍ଥିକ ସମୃଦ୍ଧି ପାଇଁ ଏକ ମାଇଲ ସ୍ତମ୍ଭ ଭାବେ ପରିଚୟ ଦେଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.