ରାଣୀପଟାରେ “କାବେରୀ” ଧାନର କ୍ଷେତ୍ର ପ୍ରଦର୍ଶନୀ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ରାଣୀପଟା ପ୍ରାଥମିକ ବିଦ୍ୟାଳୟ ନିକଟରେ ବହୁଳ ଅମଳକ୍ଷମ ଧାନ କାବେରୀର କ୍ଷେତ୍ର ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ସୁପରଭାଇଜର ଭରତ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏବିଏମ ସୌମ୍ୟକାନ୍ତ ହୋତା, ଟିଏମ କୌସ୍ତୁଭ ଦାସ, ଅଧିକୃତ ବିକ୍ରେତା ରାଜେଶ ସାହୁ, ରେବୁନ ସାହୁ, ରୋମାଞ୍ଚଳ ସାହୁ, ଛବିଲାଲ ସାହୁ, ଫାମର୍ସ ପ୍ରଡ୍ୟୁସର ଅର୍ଗାନାଜେସନର ପ୍ରଗତି ଚାଷୀ ତଥା ଗାଡେବନ୍ଧ ଗ୍ରାମ ପଞ୍ଚାୟତର ସମିତି ସଦସ୍ୟଙ୍କ ପ୍ରତିନିଧି ଅଜିତ ସାହୁ, ସଞ୍ଜୟ ମାଝୀ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସୀନରହି ମାର୍ଗଦର୍ଶନ ଦେଇଥିଲେ ଏବଂ ଉକ୍ତ “କାବେରୀ” ଧାନ ଚାଷର ବହୁଳ ଉତ୍ପାଦନ କ୍ଷମତା ଏବଂ ଲାଭ ବିଷୟରେ ନିଜ ନିଜ ଅନୁଭୁତି ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଷ ଚାଷୀଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ। କାର୍ଯକ୍ରମ ଆରମ୍ଭରେ ସୁପରଭାଇଜର ଶ୍ରୀ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। “କାବେରୀ” ଧାନ ଚାଷ କରିଥିବା ସଫଳ ଚାଷୀଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ ଏବିଏମ ଓ ଟିଏମ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ପାଞ୍ଚବର୍ଷ ହୋଇଗଲା ନର୍ଲା ଅଞ୍ଚଳର ଚାଷୀ ବହୁଳ ଉତ୍ପାଦନକ୍ଷମ ଏହି କାବେରୀ ଧାନ ଚାଷ କରି ଆସୁଛନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ଏହି ଧାନ ଚାଷ କରିଥିବା ଜଣାପଡିଛି। ତଥ୍ୟ ଅନୁଯାୟୀ ଗତବର୍ଷ ଏହି ଭେରାଇଟିର ଧାନକୁ ଅଞ୍ଚଳର ଚାଷୀ ୧୮୦ ହେକ୍ଟର କରିଥିଲେ। ହେଲେ ଏହାର ପ୍ରଚୁର ଉତ୍ପାଦନ ଗୁଣବତ୍ତା ଯୋଗୁଁ ଚଳିତ ବର୍ଷ ଅଞ୍ଚଳରେ ୨୫୦ ହେକ୍ଟରରୁ ଅଧିକ ଧାନ ଚାଷ ହୋଇଥିବା ସୂଚନା ମିଳିଛି। ଏହି ବହୁଳ ଉତ୍ପାଦନ ଗୁଣବତ୍ତା ରହିତ “କାବେରୀ” ଧାନର କେଆରଭି ୦୫୧୧ ଭେରାଇଟି ନର୍ଲା ଅଞ୍ଚଲରେ ବହୁଳ ଭାବରେ ଚାଷୀ ଚାଷ କରୁଥିବା ଦେଖିବାକୁ ମିଳିଛି। ନର୍ଲାର ଅନ୍ୟ କେତେକ ସ୍ଥାନରେ କେଭି ୯୯, କେଆରଭି ୭୫୨୨, କେଆରଭି ୭୪୨୩, କେପିଏଚ ୪୬୮ ଭେରାଇଟିର ମଧ୍ୟ ଚାଷ ହେଉଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ଚାଷୀ ମାନଙ୍କ ମଧ୍ୟରେ ଶ୍ୱେତ ସା, ସହଦେବ ପଧାନ, ରଞ୍ଜନ ବିଶ୍ୱାଳ, କୁରୁପତି ମାଝୀ, ମୀନତି ବିଭାର, ପ୍ରମିତା ମାଝୀ, ନୀଲୁ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସଫଳ ଚାଷୀ ମାନଙ୍କୁ ଉପହାର ମଧ୍ୟ ପ୍ରଦାନ କରା୍‌ାଇଥିଲା। ଏହାପରେ ନିକଟସ୍ଥ ଧାନ କ୍ଷେତ୍ରରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା। ଧାନର ଉତ୍ପାଦନ, ଧାନର ସାଇନିଂ, ଧାନ କେଣ୍ଡା ପ୍ରଭୃତି ଚାଷୀଙ୍କ ସମ୍ମୁଖରେ ପରଖି ଥିଲେ “କାବେରୀ”ର ଅଧିକାରୀ ବୃନ୍ଦ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.