କୁଟିଆ କନ୍ଧଙ୍କ ଗାଁ ପଣସ ଗୁଡାରେ ବିକାଶ ଅପହଞ୍ଚ

ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗମନାଗମନ, ପାନୀୟ ଜଳରୁ ବଞ୍ଚିତ

ପୋଡ଼ୁଚାଷ ଓ ଝରଣା ପାଣି ଭରସା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ଲାଖବାହିଲି ପଞ୍ଚାୟତର ଏକ ଆଦିବାସୀ ଗାଁ ପଣସଗୁଡା। ୪୦ରୁ ଉର୍ଦ୍ଧ୍ବ କୁଟିଆ କନ୍ଧ ପରିବାର ରହୁଥିବା ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡ଼ିଛି। ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ସାଢ଼େ ୪ କି:ମି ଦୂରରେ ଥିଲେ ମଧ୍ୟ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗମନାଗମନ,ପାନୀୟଜଳ, ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହିଗାଁ। ସରକାରଙ୍କ ସବୁ ଯୋଜନା ଯେପରି ଏଠାରେ ବାଟବଣା ହୋଇଯାଇଛି। ଲାଞ୍ଜିଗଡ଼ ବ୍ଳକ ବିଜେପୁର-ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ଲାଖବାହିଲି ଗାଁ ଠାରୁ ସାଢ଼େ ୪ କି:ମି ଦୂରରେ ରହିଛି ଏହି ଗାଁ। ମୁଖ୍ୟ ରାସ୍ତାରୁ ୨ କି:ମି ଦୂର ମାଟି ରାସ୍ତାରେ ଗଲାପରେ ବାରଗୁଡ଼ା ଗାଁ ପୂର୍ବରୁ ପାଦ ଚଲା ରାସ୍ତାରେ ପୁଣି ସାଢ଼େ ୨କି:ମି ଯିବା ପରେ ଏହି ପଣସଗୁଡ଼ା ଗାଁ ପଡ଼ିଥାଏ। ଭଲ ରାସ୍ତା ଓ ପୋଲ ନଥିବା ଯୋଗୁଁ ଗାଁକୁ କୌଣସି ଆମ୍ବୁଲାନ୍ସ କି ଗାଡ଼ି ଯାଇପାରେ ନାହିଁ। ତେଣୁ ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହି ଆଣିବା ଦୃଶ୍ୟମାନ ବାରମ୍ବାର ଦେଖୁବାକୁ ମିଳୁଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶହେ ବର୍ଷରୁ ଅଧିକ ସମୟ ଧରି ରହୁଥିବା ଆଦିବାସୀଙ୍କ ମାଟିଘର ମଧ୍ୟରୁ ମାତ୍ର କିଛି ଲୋକଙ୍କୁ ମିଳିଛି ଆବାସ ଯୋଜନା ଗୃହ।ବର୍ତ୍ତମାନ ଗାଁର ଏବେ ଅଧିକାଂଶ ଲୋକଙ୍କୁ ଗୃହ ମିଳିଥିବା ବେଳେ ରାସ୍ତା ସାଜିଛି ବାଧକ। ଗାଁରେ ଗୋଟିଏ ନଳକୂପ ଅଛି। କିନ୍ତୁ ବର୍ଷ ବର୍ଷ ଧରି ଅଚଳ ହୋଇ ପଡି ରହିଛି। ତେଣୁ ୧ କିମି ଦୂର ଗାଁ ନିକଟସ୍ଥ ଚାଷ ଜମି କଡ଼ରୁ ବାହାରୁଥିବା ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଗାଁର ଗୋଟିଏ ବି ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିନଥିବା କହିଛନ୍ତି। ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟକର୍ମୀ ଗାଁକୁ ଛଅ ମାସରେ ଥରେ ଦୁଇ ଥର କାଁ ଭାଁ ଯାଇଥାନ୍ତି। ଗାଁରେ ସ୍କୁଲ ନଥିବା ଯୋଗୁଁ ପାଦଚଲା କଚା ରାସ୍ତା ଦେଇ କୋମଳମତି ଶିଶୁ ମାନେ ସାଢ଼େ ୨ କିମି ଦୂରରେ ଥିବା ନିକଟସ୍ଥ ଗାଁ ବାରଗୁଡାକୁ ଯାଇଥାନ୍ତି।କିନ୍ତୁ ପଣସଗୁଡା ଓ ବାରଗୁଡା ଗାଁ ମଝିରେ ସାକଡ଼ ବନ୍ଦ ନାଳ ପଢୁଥିବା ଯୋଗୁଁ ବର୍ଷା ଦିନେ ଛୋଟ ପିଲା ଯାଇ ପାରନ୍ତି ନାହିଁ। ତେଣୁ ବର୍ଷା ଦିନେ ଅଧିକାଂଶ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହନ୍ତି। ୮-୯ ବର୍ଷର ଛାତ୍ରଛାତ୍ରୀ ମାନେ ଲାଖବାହିଲି ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ଯାଆନ୍ତି। ସେହିପରି ଅଙ୍ଗନବାଡି କେନ୍ଦ୍ର ଗାଁରେ ନଥିବାରୁ ଗାଁର କୋମଳମତି ଶିଶୁ ମାନେ ୨ କି:ମି ଦୂର ନିକଟସ୍ଥ ପଟାଙ୍ଗ ପଦର ଗାଁକୁ ଯିବାକୁ ପଡେ। ବର୍ଷା ଦିନେ ଗମନା ଗମନ ଅସମ୍ଭବ ଯୋଗୁଁ ପିଲାଙ୍କ ପାଠରେ ଡୋରି ବନ୍ଧା ହୁଏ। ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇବା ପରେ ଚଳିତ ବର୍ଷ ଏପ୍ରିଲ ମାସରେ ମନରେଗା ଯୋଜନାରେ କିଛି ଦୂର ରାସ୍ତା କାମ ହୋଇଛି। କିନ୍ତୁ ନାଳରେ ପୋଲ ନିର୍ମାଣ ନହେବା ପର୍ଯ୍ୟନ୍ତ ଗାଁକୁ ଟ୍ରାକ୍ଟର ମଧ୍ୟ ଯାଇପାରୁନାହିଁ। ପୋଡୁ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି ଆଦିବାସୀ। ଗାଁର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ପକ୍ଷରୁ ଗାଁକୁ ଦୃଷ୍ଟି ଦେଇନଥିବା ଯୋଗୁଁ ଗତ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିଥିଲେ ଗ୍ରାମବାସୀ। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବ୍ଳକ ନୂତନ ଭାବେ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ୍ ଅନିମେଶ ପ୍ରଧାନ ଗତ ନଭେମ୍ବର ୧୧ ତାରିଖ ମଙ୍ଗଳବାର ଦିନ ଗାଁକୁ ଗସ୍ତ କରି ଅଢେଇ କିମି ଦୂର ପାଦରେ ଚାଲିଚାଲି ଯାଇ ଗାଁ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏନେଇ ସରପଞ୍ଚ ପଦ୍ମିନୀ ମାଝୀଙ୍କୁ ପଚାରିବାରୁ ପଣସଗୁଡା ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଛି। ମୁଖ୍ୟ ସମସ୍ୟା ହେଲା ରାସ୍ତା। ବର୍ତ୍ତମାନ ୧୫ ଦିନ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସି ରାସ୍ତା ନିର୍ମାଣ ପାଇଁ ତଦନ୍ତ କରି ଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏଣୁ ଏହି ଗାଁ ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧିମାନେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.