ସାମ୍ବାଦିକା ସସ୍ମିତା ସାହୁଙ୍କ ସମେତ ଓଡ଼ିଶାରୁ ୪ଜଣ ପାଇଲେ ଲାଡ୍‌ଲି ମିଡ଼ିଆ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ ଓ ୟୁଏନ୍‌ଏଫ୍‌ପିଏ ପକ୍ଷରୁ ୨୦୨୫ ମସିହା ପାଇଁ ‘ଲାଡ୍‌ଲି ମିଡ଼ିଆ ଆୱାର୍ଡ଼’ ଗତକାଲି ପ୍ରଦାନ କରାଯାଇଛି। ମୁମ୍ବାଇ ସ୍ଥିତ ଟାଟା ଥିଏଟର୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସାମ୍ବାଦିକା ସସ୍ମିତା ସାହୁଙ୍କ ସମେତ ଓଡ଼ିଶାରୁ ୪ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟ ତିନି ଜଣ ହେଲେ ଐଶ୍ୱର୍ଯ୍ୟା ମହାନ୍ତି, ଶତରୂପା ସାମନ୍ତରାୟ ଓ ଅନ୍ତର୍ଜିତା ନାୟକ। ସମାଜରେ ଲିଙ୍ଗଗତ ସମ୍ବେଦନଶୀଳତା ପ୍ରସଙ୍ଗରେ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ ଭିତ୍ତିରେ ବିବେଚନା କରାଯାଇ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଏ। ଓଡ଼ିଶାରେ ଡାହାଣୀ ଓ ଗୁଣିଗାରେଡ଼ି ଅନ୍ଧବିଶ୍ୱାସକୁ ନେଇ ‘ରବିବାର ସମ୍ବାଦ’ରେ ପ୍ରକାଶିତ ଫିଚର୍ ‘ଗୁଣିଆ ଗଢ଼େ ଲୋ ଡାହାଣୀ’ ପାଇଁ ସସ୍ମିତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ୭ଟି ଜିଲ୍ଲାରେ ଏହି ଡାହାଣୀ ସନ୍ଦେହ ଜନିତ ଅପରାଧ କିପରି ଭୟାନକ ହୋଇଛି, ଲୋକଙ୍କ ଅନ୍ଧବିଶ୍ୱାସର ଫାଇଦା ନେଇ ଗୁଣିଆମାନେ କିପରି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଡରାଉଛନ୍ତି, ସେସବୁ ସସ୍ମିତାଙ୍କ ପ୍ରସ୍ତୁତ ଏହି ରିପୋର୍ଟରେ ସ୍ଥାନ ପାଇଥିଲା। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କଳ୍ପନା ଶର୍ମା ଓ ହେପ୍‌ଜିବା ପାଠକ ଯୋଗ ଦେଇଥିଲେ। ପପୁଲେସନ୍ ଫାଷ୍ଟ୍‌ର ପ୍ରତିଷ୍ଠାତା ଏ.ଏଲ୍. ଶାରଦା ଉପସ୍ଥିତ ଥିଲେ। ଯୋଗେଶ ପାୱାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ୧୪ଟି ରାଜ୍ୟର ୯୭ ଜଣଙ୍କୁ ପୁରସ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.