ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର ଅଭିଯୋଗ, କାମ ବନ୍ଦ କଲେ ମସ୍କାପଦର ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରାମାଞ୍ଚଳକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଛନ୍ତି।‌ ହେଲେ ଠିକାଦାର ମାନଙ୍କର ଲାଭଖୋର ନିତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ ବ୍ଲକରେ ବର୍ତ୍ତମାନ ପଞ୍ଚାୟତ ମାନଙ୍କରେ ପ୍ରଧାନମନ୍ତ୍ରୀ ରାସ୍ତା କାମ ଚାଲିଥିବା ବେଳେ ଆଜି ଏଭଳି ଏକ ନିମ୍ନ ମାନର କାମ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ପିଡବ୍ଲୁଡି ରାସ୍ତା ଠାରୁ ମସ୍କାପଦର କଲୋନୀ ପଡ଼ା ଭାୟା ଖଜୁରପଦରକୁ ସଂଯୋଗ କରୁଥିବା ୨ କିମି ରାସ୍ତା କାମରେ। ରାସ୍ତା କାମ ବିଳମ୍ବ ଓ ନିମ୍ନମାନର ଚାଲିଥିବା ନେଇ ମସ୍କାପଦର ଗ୍ରାମବାସୀ ଅଭିଯୋଗ ଆଣି ଆଜି କାମ ବନ୍ଦ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବ୍ଳକର ଛତ୍ରପୁର ପଞ୍ଚାୟତ ଲାଞ୍ଜିଗଡ଼-ବିଶ୍ୱନାଥପୁର ସଂଯୋଗ କରୁଥିବା ମୁଖ୍ୟ ପିଡବ୍ଲୁଡି ରାସ୍ତା ଠାରୁ ମସ୍କାପଦର କଲୋନୀ ପଡା ଭାୟା ଖଜୁରପଦରକୁ ସଂଯୋଗ କରୁଥିବା ୨ କିମି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାମ ପାଇଁ ଟେଣ୍ଡର ହୋଇଛି।ଏହି କାମକୁ ଖଡ଼ିଆଳର ଠିକାଦାର ରଘୁନନ୍ଦନ ଅଗ୍ରୱାଲ ନେଇଥିବା ବେଳେ ଗତ ମେ ମାସରେ ଆରମ୍ଭ କରିଥିଲା।‌ଏହି ରାସ୍ତାର ମଧ୍ୟ ଭାଗରେ ଗୋଟିଏ କଲଭଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ କଲଭଟ ତଳୁ ମାଟି ଖସୁଛି।କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ କହିହେବ ନାହିଁ।ଏହାକୁ ନେଇ ମସ୍କାପଦର ଗ୍ରାମବାସୀ ଠିକାଦାର ଓ ତଦାରଖ ଦାଇତ୍ଵରେ ଥିବା ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।ସେମାନେ ରାସ୍ତା କାମ ସହିତ କଲଭଟ କାମ ମଧ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।‌ କିନ୍ତୁ ଠିକାଦାର ମାତ୍ର ୧୫ ଦିନ କାମ କରିବା ପରେ କାମ ବନ୍ଦ କରି ଚାଲି ଯାଇଥିଲା। ଠିକାଦାର କିମ୍ବା ଯନ୍ତ୍ରୀକୁ କାମ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଯୋଗାଯୋଗ କରିଥିଲେ ମଧ୍ୟ କେବେ ଆରମ୍ଭ ହେବ ସନ୍ତୋଷ ଜନକ ଉତ୍ତର ମିଳିନଥିଲା। କାମ ବିଳମ୍ବ ଯୋଗୁଁ ଏହାକୁ ନେଇ ଗତ ୧୦ ତାରିଖ ସୋମବାର ଦିନ ଛତ୍ରପୁର ସରପଞ୍ଚ ସୁଷମା ମାଝୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବର୍ତ୍ତମାନ ଉକ୍ତ କାମକୁ ଆଜି ଆରମ୍ଭ କରିଛି ଠିକାଦାର। ରାସ୍ତା କାମରେ ସୂଚନା ଫଳକ ନଥିବା ଯୋଗୁଁ କେତେ ଟଙ୍କା ବ୍ୟୟ ଅଟକାଳରେ କାମ ହେଉଛି ବାରମ୍ବାର ପଚାରିଲେ ମଧ୍ୟ ଜଣାଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ମେ ମାସରେ ୧୫ ମଧ୍ୟରେ ମେଟାଲିଂ କରି ଠିକାଦାର ଚାଲି ଯାଇଥିବା ବେଳେ ବର୍ତ୍ତମାନ ଏବେ ରାସ୍ତାର ଦୁଇ ପାର୍ଶ୍ଵରେ ଜେସିବି ମାଧ୍ୟମରେ ସାଇଜ କରି ରାସ୍ତାରେ ଥିବା ଧୂଳି ଭଲ ଭାବରେ ସଫା ନକରି ପିଚୁ କାମ ଆରମ୍ଭ କରିବା ପୂର୍ବରୁ ଗ୍ରାମବାସୀ କାମ ବନ୍ଦ କରିଛୁ ବୋଲି ପ୍ରକାଶ କରିଛନ୍ତି। ଉକ୍ତ କାମ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ ଅସିତ ଖଟୁଆ କି ଠିକାଦାର ଶ୍ରୀ ଅଗ୍ରୱାଲ ଆସୁନଥିବା ଗାଁ ମୁନସି ଭରସାରେ କାମ କରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଏନେଇ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଖଟୁଆଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗାଁର ରାଜେନ୍ଦ୍ର ନାଏକ, ସୁଶାନ୍ତ ନାଏକ,ଶରତ ନାଏକ, ପର୍ଶୁ ହରିଜନ, ମଧୁ ହରିଜନ,ଦୁଲମଣୀ ହରିଜନ,ଚିନି ନାଏକ, ଲିକମେ ମାଝୀଙ୍କ ସମେତ ମସ୍କାପଦର ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.