ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଶନିବାର ସ୍ଥାନୀୟ ଶାସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା ମୁଖ୍ଯ ଅତିଥି ଭାବେ ଏବଂ ଆବାହକ ଏବଂ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ବରେଣ୍ଯ ଅତିଥି ରୂପେ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଉତ୍କଳ ସମ୍ମିଳନୀ ରାୟଗଡ଼ା ଶାଖାର ସଭାପତି ତଥା ଆଇନଜୀବୀ ବ୍ରଜସୁନ୍ଦର ନାୟକ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା,ସମାଜସେବୀ ସୁଦର୍ଶନ ପାଢୀ,ୱାକରସ କ୍ଲବର ସଭାପତି ଦାଶରଥି ରାଜଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ୱ୍କାକରସ କ୍ଲବ, ବରିଷ୍ଠ ନାଗରିକ ସଂଘ, ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ଦେଶପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ। ସକାଳ ଆଠ ଘଟିକା ସମୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ସଭିଏଁ ସମବେତ ହୋଇ ପୁଷ୍ପ ମାଲ୍ୟାର୍ପଣ କରି ସମ୍ମାନ ପ୍ରଦର୍ଶନ କରିଥିଲେ। ପରେ ଆୟୋଜିତ ଏକ ସାଧାରଣ ସଭାରେ ଅତିଥିବୃନ୍ଦ ମହାପୁରୁଷ ତଥା ଶହୀଦ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ, ସ୍ବାଧିନତା ସଂଗ୍ରାମର ଗୁଣଗାନ କରିଥିଲେ। ସ୍ବାଧୀନ ଭାରତ ମୁକ୍ତ ଆକାଶର ଦୋଦୁଲ୍ୟମାନ ନକ୍ଷତ୍ର ପୁଞ୍ଜ ମଧ୍ୟରେ ଅନ୍ୟତମ ତାରକା ସଦୃଶ ଏମାଟିର ଯୁବପିଢି, ଦେଶଭକ୍ତ ଓ ସର୍ବୋପରି ନାଗରିକ ମାନଙ୍କ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ଉଦାହରଣ ଅଟନ୍ତି ଶହୀଦ ଲକ୍ଷ୍ମଣ ନାୟକ । ସେ ତ୍ଯାଗର ସଙ୍କେତ, ଧୈର୍ଯ୍ୟର ପ୍ରତୀକ, ଜାତିର ଗର୍ବ ଓ ଗୌରବ,ଅବିଭକ୍ତ କୋରାପୁଟରେ ଭାରତଛାଡ ଆନ୍ଦୋଳନର ଉଦ୍ୟୋକ୍ତା ଥିଲେ। କେବଳ ଦସ୍ତଖତ ଜାଣିଥିବା ଏଭଳି ଜଣେ ସଂଗ୍ରାମୀ ଗାନ୍ଧୀଙ୍କ ଡାକରାରେ ଫିରିଙ୍ଗିଙ୍କ ବିରୋଧରେ ଲଢିବା ସହ ଥାନାରେ ଭାରତୀୟ ପତାକା ଉଡେଇ ନିଜ ଜାତୀୟତା ପ୍ରତିପାଦିତ କରିଥିଲେ ବୋଲି ଅତିଥିବୃନ୍ଦ ଅଭିଭାଷଣ ରଖିଥିଲେ। ଏଭଳି ଜଣେ ଶହୀଦଙ୍କ ନାମରେ ଅନୁଷ୍ଠାନ ରାସ୍ତା ଆଦି ନାମକରଣର ଯଥାର୍ଥତା ପ୍ରତିପାଦିତ କରି ପ୍ରସ୍ତାବ ଜିଲ୍ଲା ପ୍ରଶାସନକୁ ଉପସ୍ଥାପନ କରିବା ସପକ୍ଷରେ ଉପଜିଲ୍ଲାପାଳ ନିଜ ବକ୍ତବ୍ଯରେ ମତ ରଖିଥିଲେ। ଶାସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ତଥା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବକ୍ତ୍ରୁତା ଓ ପତ୍ର ଲିଖନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ଷ୍ଟେନୋ କୁମୁଦିନି ମିଶାଲ, ମାନସ କୁମାର ସାହୁ ଓ ଅନ୍ଯାନ୍ଯ କର୍ମକର୍ତ୍ତାଗଣ ଆୟୋଜନରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.