ଗବେଷକ ଉମାଶଙ୍କର କର ପାଇବେ ଦେବଗିରି ସମ୍ମାନ : ଐଶ୍ୱର୍ଯ୍ୟା ପ୍ରଧାନଙ୍କୁ ସମ୍ଭାବନା, ଦୀନବଂଧୁ ସାହୁଙ୍କୁ କଳା ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମ୍ମାନ’ ପାଇବେ ବରିଷ୍ଠ ଗବେଷକ ଉମାଶଙ୍କର କର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସାହିତ୍ୟ, ସାମ୍ବାଦିକତା ଓ ଗବେଷଣା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ କରଙ୍କୁ ଅନୁଷ୍ଠାନର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ। ଭବାନୀପାଟଣା ନିବାସୀ ଶ୍ରୀ କର ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା ଓ ସାହିତ୍ୟ ସର୍ଜନାରେ ନିଜକୁ ନିୟୋଜିତ ରଖିଛନ୍ତି। ସେ ୧୯୭୩ ମସିହାରୁ ଆକାଶବାଣୀ, ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଆସୁଥିବା ବେଳେ ସଂପ୍ରତି ପିଟିଆଇ ଓ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ଵ ତୁଲାଉଛନ୍ତି। ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅନନ୍ୟ। ସେ ଜିଲ୍ଲା ସୈନିକ ମଙ୍ଗଳ ବୋର୍ଡ଼, କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ରାସ୍ତା ସୁରକ୍ଷା କମିଟି, ଭବାନୀପାଟଣା ଲେଣ୍ଡ୍ ଭେଲୁଏସନ୍ ବେଞ୍ଚମାର୍କ କମିଟି ଆଦିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ କର କଳାହାଣ୍ଡି ଡିଷ୍ଟ୍ରିକ୍ଟ ଗେଜେଟିୟର୍ (ନୂତନ ସଂସ୍କରଣ) ଏବଂ କଳାହାଣ୍ଡି ଉତ୍ସବ ‘ଘୁମୁରା’ ସ୍ମରଣିକା ‘କଳାଝରଣ’ର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଛନ୍ତି। କଳାହାଣ୍ଡିର ସାମଗ୍ରିକ ବିକାଶ ପାଇଁ ତାଙ୍କ ଦ୍ଵାରା ପ୍ରସ୍ତୁତ ‘ଭିଜନ୍ ଡକ୍ୟୁମେଣ୍ଟ’ ଏକ ମୂଲ୍ୟବାନ ଦଲିଲ। ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଓ ଲୋକସାହିତ୍ୟ ନିୟମିତ ଭାବରେ ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରସାରିତ। ଏଯାବତ୍ ତାଙ୍କର ୫ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ଲୋକ ସାହିତ୍ୟ ସମ୍ପର୍କିତ ପୁସ୍ତକ, ୨ଟି ସାମାଜିକ ପ୍ରସଙ୍ଗ ଆଧାରିତ ପୁସ୍ତକ ଏବଂ ୫ଟି ଗବେଷଣାତ୍ମକ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ସେଥିମଧ୍ୟରୁ ‘ଆହତ ଉପତ୍ୟକାର ସ୍ଵରଲିପି’, ‘ବୁଲାବାବାଙ୍କ ଝୁଲାମୁଣି’, ‘ପଶ୍ଚିମ ଓଡ଼ିଶାର ଢ଼ଗଢ଼ମାଳି’, ‘କଳାହାଣ୍ଡିର କଥା’, ‘ମାଣିକ୍ୟଦେବୀ ମାଣିକେଶ୍ଵରୀ’, ‘ଐତିହାସିକ ଦୁର୍ଗ ଅସୁରଗଡ଼’, ‘କାଳାନ୍ତରରେ କାନ୍ତାରକ’, ‘ବାତାୟନରେ କଳାହାଣ୍ଡି’ ଆଦି ଉଲ୍ଲେଖଯୋଗ୍ୟ। ସେହିପରି ଏବର୍ଷର ସମ୍ମାନଜନକ ‘ଦେବଗିରି ସମ୍ଭାବନା ସମ୍ମାନ’ ପାଇବେ ଓଡ଼ିଆ କବିତାର ଏକ ପ୍ରଖର ଯୁବସ୍ୱର ଐଶ୍ୱର୍ଯ୍ୟା ପ୍ରଧାନ। ଜୁନାଗଡ଼ ବ୍ଲକ୍ ଆଟିଗାଁରେ ଜନ୍ମିତ ଐଶ୍ୱର୍ଯ୍ୟାଙ୍କ କବିତାରେ ନାରୀମନର ସୂକ୍ଷ୍ମ ଭାବନା, ସ୍ନେହ, ପ୍ରେମ, ବିରହ, ଏକାକୀତ୍ୱ, ଆଶା, ନିରାଶା, ସାମାଜିକ ଅନୁଭୂତି, ସଂଘର୍ଷ ଏବଂ ସେଥିରୁ ଜାତ ଦର୍ଶନ ଓ ଚିନ୍ତନ ପ୍ରକାଶ ପାଇଥାଏ। ସେ ନିଜ ଚାରିପାଖର ପରିବେଶ, ସମାଜ ଓ ପ୍ରକୃତିକୁ ନିଜ ଅନୁଭୂତିର ଅଂଶ କରି ତାହାକୁ କାବ୍ୟିକ ରୂପ ଦେବାରେ ବେଶ୍ ସିଦ୍ଧହସ୍ତ। ତାଙ୍କ କବିତାରେ ଶବ୍ଦ, ଛନ୍ଦ, ପ୍ରତୀକ ଓ ଭାବନାର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ; ଯାହା ପାଠକଙ୍କୁ ଗଭୀର ଭାବରେ ସ୍ପର୍ଶ କରି ଚିନ୍ତନର ନୂତନ ଦ୍ଵାର ଖୋଲି ଦେଇଥାଏ। ତାଙ୍କର ପ୍ରଥମ କବିତା ସଂକଳନ ‘ତୁମେ ଗଲାପରେ’ ବେଶ୍ ପାଠକୀୟ ଆଦୃତି ଲାଭ କରିଥିବା ବେଳେ ଦ୍ଵିତୀୟ ପୁସ୍ତକ ‘ଶେଷଭୋଗ’ ପ୍ରକାଶ ପାଇବାକୁ ଯାଉଛି। ସଂପ୍ରତି ସେ ଭବାନୀପାଟଣାରେ ଅବସ୍ଥାନ କରୁଛନ୍ତି। ଏଥିସହ ସମ୍ମାନସୂଚକ ‘ଦେବଗିରି କଳା ସମ୍ମାନ’ ପାଇବେ ବିଶିଷ୍ଟ ଚିତ୍ରକର, କବି ତଥା ଅଭିନେତା ଡା. ଦୀନବଂଧୁ ସାହୁ। ଏଯାବତ୍ ସେ ୫୦୦ରୁ ଉର୍ଦ୍ଧ୍ବ ସ୍କେଚ୍ ଅଙ୍କିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ୨୫ରୁ ଉର୍ଦ୍ଧ୍ବ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ, ୨୫ରୁ ଉର୍ଦ୍ଧ୍ବ ଗ୍ରୁପ୍ ଶୋ’ ତଥା ସଂଗୀତ ଓ ଚିତ୍ରକଳା ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି। ଛାତ୍ର ଜୀବନରୁ ମଞ୍ଚ କଳା ପ୍ରତି ଆକୃଷ୍ଟ ହୋଇ ୩୦ରୁ ଉର୍ଦ୍ଧ୍ବ ନାଟକରେ ଅଂଶଗ୍ରହଣ କରିଥିବା ବେଳେ ଗାୟକ ଭୂମିକାରେ ୧୦ରୁ ଉର୍ଦ୍ଧ୍ବ ପାଲା ପରିବେଷଣ କରିଛନ୍ତି। ଏଥିସହ ଏକାଦିକ୍ରମେ ୩୦ରୁ ଉର୍ଦ୍ଧ୍ବ ପଶୁପକ୍ଷୀ ଓ ଯାନବାହାନ ସ୍ୱର ଅନୁକରଣ କରିପାରନ୍ତି। ଜଣେ କବି ଭାବେ ମଧ୍ୟ ସେ ସୁପରିଚିତ। ଏଯାବତ୍ ତାଙ୍କର ୬ଟି ପୁସ୍ତକ ପ୍ରକାଶିତ। ସଂପ୍ରତି ସେ ଭବାନୀପାଟଣା ସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟରତ। ଚୟନିତ ପ୍ରତିଭାମାନଙ୍କୁ ଆସନ୍ତା ଡିସେମ୍ବର ୬ରୁ ୮ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୩ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷିତ ହେବ ବୋଲି ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.