ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଗତି ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଅଧିକାରୀ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ, କଳାହାଣ୍ଡି ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମ୍ମାନିତ ଅତିଥି ଭାବରେ ଓ ପ୍ରଗତି ଶିକ୍ଷାନୁଷ୍ଠାନର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା ଓ ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବର ପ୍ରଥମ ଦିବସରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଚିତ୍ରଶିଳ୍ପୀମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମର ଆରମ୍ଭରେ ସ୍ବର୍ଗତ ବନମାଳୀ ପଣ୍ଡାଙ୍କର ସ୍ମୃତି ଚାରଣ କରି ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଚଳିତ ବର୍ଷ ବନମାଳୀ ପଣ୍ଡା ଶିକ୍ଷା ସମ୍ମାନରେ ରବି ପଟ୍ଟନାୟକଙ୍କୁ, ବନମାଳୀ ପଣ୍ଡା ସେବା ସମ୍ମାନରେ ଯଶୋଦା ଅନାଥାଶ୍ରମ ଧର୍ମଗଡ଼ର ଉଦଗତା ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲଙ୍କୁ, ବନମାଳୀ ପଣ୍ଡା ସାହିତ୍ୟ ସମ୍ମାନରେ ଡ. ଦାଶରଥି ଆଚାର୍ଯ୍ୟଙ୍କୁ ଏବଂ ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନରେ ଧ୍ୟାନ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ଏହି ଅନୁଷ୍ଠାନରେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀମାନଙ୍କୁ ବନମାଳୀ ପଣ୍ଡା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ପରେ ନିମନ୍ତ୍ରିତ କବି ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କବିତା ପାଠୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଯୋଗ, ତାଇକୋଣ୍ଡୋ, ପେଣ୍ଟିଂ, ରଙ୍ଗୋଲି, ନୃତ୍ୟ, ଗୀତ, କବିତା ଆବୃତ୍ତି, ବ୍ୟାଡମିଣ୍ଟନ, ଭଲିବଲ, ଚେସ, କେରମ, ଫ୍ୟାନସି ଡ୍ରେସ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଫୁଡ଼ ଷ୍ଟଲ ସମସ୍ତଙ୍କର ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟକ୍ଷ, ଶିକ୍ଷକ , ଶିକ୍ଷୟତ୍ରୀଙ୍କ ସହଯୋଗ ଏବଂ ଅଭିଭାବକ, ଅଭିଭାବିକା ତଥା ସମସ୍ତ ଅତିଥି ଏବଂ ବିଶିଷ୍ଟ ସାହିତ୍ୟ ସାଧକମାନଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଅନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣେଇଥିଲେ ।





