ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ତଥା ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଲାଫେର- ଦୁକାଲଘାଟ ରାସ୍ତାର ଢୋଢ କ୍ଷେତ ବାହାଲ ପାଖରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି | ମୃତକ ଜଣକ ଦୁକାଲଘାଟ ଗାଁର ଭଗବାନ ତମଲିଆ (୧୯) ଏବଂ ଆହତ ବ୍ୟକ୍ତି ଦୁକାଲଘାଟ ଗାଁର କମଳାକାନ୍ତ ମଲ୍ଲିକ (୨୯) | ମାସକ ପରେ ଭଗବାନଙ୍କ ବାହାଘର ଥିବା ବେଳେ ପ୍ରଥମ ବିଭାଘର ନିମନ୍ତ୍ରଣ ପତ୍ର ଆରାଧ୍ୟ ଦେବତା ଶିବଙ୍କୁ ଦେବା ପାଇଁ ଦୁକାଲଘାଟ ସ୍ଥିତ ଶିବ ମନ୍ଦିରକୁ ଯାଇଥିଲେ | ସେହିପରି କମଳାକାନ୍ତ ତା’ଙ୍କ ନବଜାତ ଶିଶୁର ଭାତ ଖୁଆଣୀ (ଅନ୍ନ ପ୍ରାସନ୍ନ) ନିମନ୍ତ୍ରଣ ପତ୍ର ଶିବଙ୍କୁ ଦେବାକୁ ଦୁକାଲଘାଟ ଶିବ ମନ୍ଦିରକୁ ଯାଇଥିଲେ | ଉଭୟ ଦୁକାଲଘାଟ ଶିବ ମନ୍ଦିରରୁ କୌଣସି କାମରେ ଝରବାହାଲି ଗାଁକୁ ଯାଇ ଫେରୁଥିବା ବେଳେ ଲାଫେର- ଦୁକାଲଘାଟ ରାସ୍ତାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁକାଲଘାଟ ଗାଁ ଲୋକ ଉଭୟଙ୍କୁ ସଇଁନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିଲେ | ଭଗବାନଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ବେଳେ ତାଙ୍କର ଭାଇ, ଭଉଣୀ କିମ୍ବା ନିଜର ଆତ୍ମୀୟ ସ୍ୱଜନ କେହି ନାହାନ୍ତି | ଏକମାତ୍ର ପୁଅର ମୃତ୍ୟୁରେ ମାଆ ନିଃସହାୟ ହୋଇଯାଇଛନ୍ତି | ଭଗବାନଙ୍କ ମାଆଙ୍କୁ ସରକାର ସହାୟ ହେବା ପାଇଁ ଗାଁ ଲୋକେ ଦାବି ଜଣାଇଛନ୍ତି | ସଇଁନ୍ତଳା ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରଖିଛି |





