ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ବିଶ୍ୱ ଏଡ୍ସ ଦିବସ। ବିଶ୍ୱ ଏଡ୍ସ ଦିବସରେ ଜନସଚେତନତା ସୃଷ୍ଟି ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ୟୁଥ୍ ଅର୍ଗାନାଇଜେସନ ଆନୁକୂଲ୍ୟରେ ବାଗପୁର ରୁ ନର୍ଲା ପଞ୍ଚାୟତ କମ୍ପ୍ଲେକ୍ସ ଯାଏଁ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ୟୁଥ୍ ଅର୍ଗାନାଇଜେସନ ର ଯୁବ ନେତୃତ୍ୱ ଦୀପୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ୮୧ ଜଣ ପ୍ରତିଯୋଗୀ ଏହି ମାରାଥନ ଦୌଡ ରେ ଅଂଶଗ୍ରହଣ କରିଥିଲେ। ଅତିଥି ବାଗପୁର ସରପଞ୍ଚ ଗୋପାଳ ହାତୀ, ଯୁବ ନେତା ସମୀର ଚାନ୍ଦ ଅତିଥି ଭାବରେ ଯୋଗଦାନ କରି ନାରିକେଳ ଭାଙ୍ଗି, ନାଲି ଫିତା କାଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନର୍ଲା ୟୁଥ୍ ଅର୍ଗାନାଇଜେସନର ବରିଷ୍ଠ ସଦସ୍ୟ ସୁଧିର ଧଙ୍ଗଡାମାଝୀ, କ୍ରୀଡା ଶିକ୍ଷକ ନାରାୟଣ ପଧାନ, ଲୁଲୁ ପଟ୍ଟନାୟକ, ବୀର ପଧାନ, ପିଣ୍ଟୁ ନାଗ ପ୍ରମୁଖ ମାରାଥନ ଦୌଡ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଜି ବିଶ୍ୱ ଏଡ୍ସ ଦିବସ ଅବସରରେ ଜନସାଧାରଣଙ୍କୁ ମାରାତ୍ମକ ଏଡ୍ସ ର ଭୟାବହତା ଓ ଏଡ୍ସ ପ୍ରତି ଜନ ସଚେତନା ସୃଷ୍ଟି ପାଇଁ ମାରାଥନ ଦୌଡ ରେ ଅଂଶ ଗ୍ରହଣ କରିଥିବା ୮୧ ଜଣ ପ୍ରତିଯୋଗୀ ବାଗପୁର ରୁ ନର୍ଲା ମ.ରାମପୁର- ଭବାନୀପାଟଣା ମୁଖ୍ୟ ରାସ୍ତାରେ ୭ କି.ମି ନର୍ଲା ପଞ୍ଚାୟତ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଦୌଡି ଥିଲେ। ରାସ୍ତା ଦୁଇକଡେ ରହିଥିବା ଦେହେଲି, ଗଡରାପଡା, ପିପଲପଦର ର ଯୁବକ ଓ ଜନସାଧାରଣ ମାରାଥନ ଧାବକ ମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା। ଗତବର୍ଷ ମଧ୍ୟ ନର୍ଲା ୟୁଥ୍ ଅର୍ଗାନାଇଜେସନ ତରଫରୁ ବିଶ୍ୱ ଏଡ୍ସ ଦିବସରେ ମାରାଥନ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା। ଚଳିବ ବର୍ଷ ଷଷ୍ଠ ଥର ମାରାଥନ ଦୌଡ ଅନୁଷ୍ଠିତ ହୋଇଛି। ସକାଳ ୭.୩୦ ରୁ ଆରମ୍ଭ ହୋଇଥିବା ମାରାଥନ ଦୌଡ ପ୍ରତିଯୋଗୀତାରେ ସୋନପୁରର ଦୟାନିଧି ମଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୋକସରାର ଲାଲୁ ବନଛୋର ଦ୍ୱିତୀୟ ସ୍ଥାନ, ଭବାନୀପାଟଣାର ପ୍ରହଲ୍ଲାଦ ନାଗ ତୃତୀୟ ସ୍ଥାନ ଅଧିକାର କରିଲେ। ସେହିଭଳି ନେତ୍ରମଣି ଶବର, ପଙ୍କଜ ରଣା, ଯୋଗେଶ ଜାନୀ, ବିନୋଦ ଗହୀର, କିଶୋର ବେହେରା, ନବକିଶୋର ବିଶ୍ବାଳ ପ୍ରମୁଖ ଚତୁର୍ଥରୁ ୯ ମ ସ୍ଥାନରେ ରହିଥିଲେ। ପଞ୍ଚାୟତ କମ୍ପ୍ଲେକ୍ସ ଠାରେ ଆୟୋଜକ ଦିପୁ ପାତ୍ରଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଯୁବନେତା ସମୀର ଚାନ୍ଦ ଏଥିରେ ମୁଖ୍ୟ ଅତିଥି ଭାବରେ, ପୋଲିସ ଏଏସଆଇ ଅବନୀ କୁମାର ଖୁରା, କୃତିବାସ ପୂଝାରୀ, ନର୍ଲା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ବାସନ୍ତୀ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, କଂଗ୍ରେସ ର ଯୁବ ନେତା ନୀରଜ ଶର୍ମା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମାରାତ୍ମକ ଏଡ୍ସ ପ୍ରତି ସଚେତନ ହେବା ବିଷୟରେ ମାର୍ଗଦର୍ଶନ ଦେବା ସହ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ତାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭୦୦୦, ୫୦୦୦ ଓ ୩୦୦୦ ଟଙ୍କା ନଗଦ ଏବଂ ଟ୍ରଫି ପ୍ରଦାନ କରିଥିଲେ। ଚତୁର୍ଥ ରୁ ନବମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ଓ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆୟୋଜକ ଶ୍ରୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





