ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶୀପୁରରେ ଦୀର୍ଘ ବର୍ଷ ଧରି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ସ୍ଥାୟୀ ପଦବୀ ପୂରଣ ହୋଇ ପାରୁନାହିଁ |ଏହା ଦ୍ୱାରା ସମଗ୍ର କାଶୀପୁର ବ୍ଲକ ବାସିନ୍ଦା ତହସିଲ କାର୍ଯ୍ୟ ପାଇବାରେ ପ୍ରଭାବିତ ହେଉଛନ୍ତି । କାଶୀପୁର ତହସିଲରେ ୪୧୭ଟି ଗ୍ରାମ ରହିଛି ଏବଂ ଶିକ୍ଷା, ଛାତ୍ରବୃତ୍ତି, ନିଯୁକ୍ତି ଏବଂ ସାମାଜିକ ସୁରକ୍ଷା ଯୋଜନା ପାଇଁ ଆବଶ୍ୟକୀୟ ବାଧ୍ୟତାମୂଳକ ପ୍ରମାଣପତ୍ର ନଥିବାରୁ ଲକ୍ଷ ଲକ୍ଷ ଛାତ୍ର,ବେକାର ଯୁବକ ଏବଂ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ କଲ୍ୟାଣସିଂହପୁର ତହସିଲଦାର ଉଭୟ କଲ୍ୟାଣସିଂହପୁର ଓ କାଶୀପୁରକୁ ଜଣେ ହିଁ କାର୍ଯ୍ୟନିର୍ବାହ କରୁଥିବା ବେଳେ ଅନେକ ଦିନରୁ ସେ ଅନୁପସ୍ଥିତ ରହୁଛନ୍ତି । ମୁଖ୍ୟତଃ କାଶୀପୁର ବ୍ଲକ ସମଗ୍ର ରାୟଗଡା ଜିଲ୍ଲାରେ ଏକ ବିରାଟ ଜନବହୁଳ ବ୍ଲକ ହୋଇଥିବା ସ୍ଥଳେ କାଶୀପୁର ତହସିଲରେ ସାଧାରଣ ଲୋକଙ୍କ କାର୍ଯ୍ୟରେ ସମ୍ପୂର୍ଣ ବାଧା ସୃଷ୍ଟି ହୋଅଛି । ଏଣୁ ବ୍ଲକ କଂଗ୍ରେସ ପକ୍ଷରୁ କାଶୀପୁର ଠାରେ ତୁରନ୍ତ ତହସିଲଦାର ନିଯୁକ୍ତି ପାଇଁ ଗତ ତା ୧୭/୧୧/୨୫ ରେ ରାୟଗଡା ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ଏବଂ ଏହା ବ୍ୟତୀତ ବ୍ଲକ କଂଗ୍ରେସ ପକ୍ଷରୁ ପୂଣି ତା ୨୧/୧୧/୨୫ ରେ ୭ ଦିନ ଭିତରେ ସ୍ଥାୟୀ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ପୂରଣ ନ କରାଗଲେ ପରବର୍ତ୍ତୀ ସମୟରେ ତହସିଲ କାର୍ଯ୍ୟାଳୟ ସମ୍ବୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ଏ ଦିଗରେ ପ୍ରଶାସନ କୌଣସି କର୍ଣ୍ଣପାତ ବା ଦୃଷ୍ଟି ଆକର୍ଷଣ ଦେଉନଥିବା ହେତୁ ଆଜି ଠାରୁ କାଶୀପୁର ବ୍ଲକ କଂଗ୍ରେସ ତହସିଲଦାର ପଦବୀ ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ସମ୍ବୁଖରେ ଧାରଣା ଦେଇଥିବା କୋରାପୁଟ ଲୋକସଭା ସାଂସଦଙ୍କ କାଶୀପୁର ବ୍ଲକ ପ୍ରତିନିଧି ସାନ୍ଧୁ ଚରଣ ମାଝୀ ଏବଂ ଅଙ୍ଗଦ ନାଏକ ପ୍ରତିକ୍ରିୟା ଦେଇଛନ୍ତି । ଧାରଣକୁ କାଶୀପୁର ଓକିଲ ସଂଘ ସଭାପତି କନେଇଲାଲ ଜଏନ ସମର୍ଥନ ଦେଇଥିବାର ପ୍ରକାଶ କରିଛନ୍ତି । ଓକିଲ ସଂଘ ସମର୍ଥନ ଜଣାଇଥିବାରୁ ବ୍ଲକ କଂଗ୍ରେସ ପକ୍ଷରୁ ଓକିଲ ସଙ୍ଘକୁ ସ୍ୱାଗତ କରିଛନ୍ତି ।





