ଦାଣ୍ଡରେ ପଡିଛି ଧାନ: କୋହଲା ପାଗକୁ ଝିପି ଝିପି ବର୍ଷା,  ଚିନ୍ତାରେ ଚାଷୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କାର୍ଯ୍ଯ କରିଥାନ୍ତି। ବର୍ଷା ଭଲରେ ହେଲା ତ ଠିକ ନହେଲେ ସବୁ ଗଲା। ପରିବାର ପ୍ରତି ପୋଷଣ ପାଇଁ ଧାର କରଜ କରି ସର୍ବସ୍ବାନ୍ତ ହୋଇଥାଏ। ଆଉ ପ୍ରତିବର୍ଷ ଧୋଇ ମରୁଡ଼ିରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଲାଣି। ବ୍ୟାଙ୍କ ଋଣ, ମହାଜନ ଠୁଁ କରଜ ଏଭଳି ଅନେକ ଧାର କରଜ କରି ଚାଷ କରିଥିବା ଚାଷୀ ମରୁଡିର କଷାଘାତରେ ଏଵଂ ରୋଗ ପୋକ ଦାଉରେ ବର୍ଷକର ପରିଶ୍ରମ ବୃଥା ଯାଉଛି। ବାରମ୍ବାର ଏଭଳି ପରିସ୍ଥିତି ଯୋଗୁଁ ଚାଷୀ ସର୍ବସ୍ବାନ୍ତ ହୋଇ ଶେଷରେ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଚଳିତ ବର୍ଷ ବର୍ଷା ଠିକ ଭାବରେ ହୋଇଥିବାରୁ ଅମଳ ତ ଭଳ ହୋଇଛି। ଏଠାକାର ଚାଷୀ ଧାନ ଅମଳ କରି ଆଣି ଘରେ ଜାଗା ନଥିବାରୁ ଖଳା ଓ ଗାଁ ଦାଣ୍ଡରେ ଧାନ ସୁଖାଉ ଥିବା ସମୟରେ ଲଘୁଚାପ ଜନିତ କାରଣରୁ ରବିବାର ଠାରୁ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀର ନିଦ ହଜେଇ ଦେଇଛି। ଅମଳ କରି ଘରକୁ ଆଣି ସାରିବା ପରେ ମଧ୍ୟ ଦଇବ ଦାଉ ସାଧୁଛି। ନଭେମ୍ବର ୨୯ ରେ ଧାନ ମଣ୍ଡି ଆରମ୍ଭ ହେବ। ଏଥିପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ସାରିଛି ବୋଲି ଜିଲ୍ଲପାଳ ଘୋଷଣା କରିଥିଲେ। ନର୍ଲାର ଚାଷୀ ଅନେକ ଆଶା ନେଇ ଜଗିଥିଲେ। ଯା ହେଉ ମଣ୍ଡି ରେ ଧାନ ଗଣ୍ଡାକ ବିକିବ। ଧାର କରଜ ଶୁଝିବ। ହେଲେ ପଦ୍ମ ଘୁଞ୍ଚିଲା ଭଳି ମଣ୍ଡି ଖୋଲିବା ତିଥି ମଧ୍ଯ ଘୁଞ୍ଚି ଚାଲିଥିବାରୁ ଚାଷୀ ମାନଙ୍କୁ ଭାଳେଣି ପଡିଛି। ଅନ୍ୟପକ୍ଷେ ଖଳାରେ ଓ ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ସୁଖାଇ, ସଫା କରିଥିବା କଷ୍ଟ ଉପାର୍ଜିତ ଧାନ ଗଣ୍ଡାକ ଏହି ଅଦିନିଆ ବର୍ଷାରେ ଟିନ୍ତି ବୁଡି ନଷ୍ଟ ହେବା ସାର ହେଉଛି। ଚାଷୀ ଧାନ କୁ ସୁରକ୍ଷା ଦେବା ପାଇଁ ଜରି ବସ୍ତରେ ତରବରିଆ ଭାବରେ ଭର୍ତ୍ତି କରୁଛିତ, ଚୁନା ଧାନକୁ ପାଲ ଘୋଡେ଼ଇ ଯତ୍ନରେ ରଖିବା ପାଇଁ ତତ୍ପର ହେଉଥିବା ଦେଖିବାକୁ ମିଳୁଛି। ଏବେ ନର୍ଲା ଚାଷୀଙ୍କୁ ଚିନ୍ତା ଘାରିଛି। ଏମିତି ଟିପି ଟିପି ବର୍ଷା ହେଲେ ତ କିଛି କଥା ନାହିଁ। ହେଲେ ବଡ ଧରଣର ବର୍ଷା ହେଲେ କଥା ସରିଲା। ଆଉ ଏମିତିକା ପାଗ ଆଉ କେତେଦିନ ରହିବ ତାହାର ଠିକଣା ନାହଁ। ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଅପେକ୍ଷା କେବେ ଖୋଲିବ ମଣ୍ଡି??

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.