ବନ୍ଧୁତ୍ୱର ବିକଳ୍ପ କି ତୁଳନା ନାହିଁ : ବାଣୀବିହାର ୧୯୯୦ ବ୍ୟାଚର ୨୧ତମ ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି):
ବନ୍ଧୁତ୍ୱ ସବୁବେଳେ ଶାଶ୍ୱତ, ସତ୍ୟ, ଶିବ ଓ ସୁନ୍ଦର। ବନ୍ଧୁତ୍ୱର ବିକଳ୍ପ ନାହିଁ କି ତୁଳନା ନାହିଁ। ସକଳ ବାଦବିବାଦ, ବିସମ୍ବାଦ, ବିରୋଧାଭାସର ଉର୍ଦ୍ଧ୍ଵରେ ବନ୍ଧୁତ୍ୱର ସ୍ଥାନ। ସୁତରାଂ ପ୍ରେମ, ଭଲପାଇବା, ଉତ୍ତମ ବୁଝାମଣା, ସହିଷ୍ଣୁତା ଓ ସହୃଦୟତା ଆଦି ସକାରାତ୍ମକ ଗୁଣରେ ବନ୍ଧୁତ୍ୱର ବିଜୟ, ସଂରକ୍ଷଣ ଓ ସଂରଚନା କରିବା ସହିତ ବନ୍ଧୁତ୍ୱକୁ ଅତୁଟ ଓ ଅକ୍ଷୁଣ୍ଣ ରଖିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି ଗତକାଲି ଭୁବନେଶ୍ୱର ରବି ଟକିଜ୍ ସ୍କୋୟାର ସ୍ଥିତ ଲତିକା କନଭେସନ୍ ର ପ୍ରେକ୍ଷାଳୟରେ ଅନୁଷ୍ଠିତ ବାଣୀବିହାର ୯୦ ବ୍ୟାଚର ୩୫ ବର୍ଷ ପୂର୍ତ୍ତିପାଳନ ଓ ୨୧ତମ ବନ୍ଧୁମିଳନ ପର୍ବର ଶୁଭ ଅବସରରେ ଉପସ୍ଥିତ ବନ୍ଧୁମାନେ ମତବ୍ୟକ୍ତ କରିଥିଲେ।

୧୯୯୦ ବ୍ୟାଚର ବିଭିନ୍ନ ବିଭାରର ସାଙ୍ଗମାନେ ରାଜନୀତିରୁ ଆରମ୍ଭ କରି ବୈଦେଶିକ ନୀତି ପର୍ଯ୍ୟନ୍ତ, ଶିକ୍ଷା, ଶିଳ୍ପ, ସାହିତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ପ୍ରଯୁକ୍ତିବିଦ୍ୟା, ପ୍ରଶାସନ,
ବ୍ୟବସାୟ,ଗଣମାଧ୍ୟମ,ବ୍ୟାଙ୍କ୍ ଇନସ୍ୟୁରାନ୍ସ୍ ଭଳି ରାଷ୍ଟାୟତ୍ତ ଓ ଅନ୍ୟାନ୍ୟ ଘରୋଇ ବିତ୍ତୀୟ ସଂସ୍ଥା ଇତ୍ୟାଦି ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥାଇ ମଧ୍ୟ ଛାତ୍ରଜୀବନର ସ୍ମୃତିକୁ ମନେପକେଇବା ପାଇଁ,ପରସ୍ପର ଭିତରେ ସୁଖଦୁଃଖ,ଭଲମନ୍ଦ, ବାଣ୍ଟିବା ପାଇଁ ଏବଂ ସର୍ବୋପରି ଅସ୍ତିସୂଚକ ଦୃଷ୍ଟିଭଙ୍ଗୀ ଓ ମନସ୍ତାତ୍ତ୍ୱିକ ବିଚାରକୁ ଆଧାର କରି ଆଗକୁ ବଢିବାର ନିରୁତା ସମ୍ପର୍କ ଓ ଅଦମ୍ୟ ସଂକଳ୍ପକୁ ସାଥୀ କରି ଫି’ବର୍ଷ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହେଉଥିବା ଏ ବନ୍ଧୁମିଳନ ପର୍ବ ବାସ୍ତବରେ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଉଦାହରଣୀୟ ବୋଲି କହିଥିଲେ।

ଏ ବର୍ଷର ଆୟୋଜିତ ବନ୍ଧୁମିଳନ ପର୍ବରେ ମଧ୍ୟ ପୂର୍ବ ବର୍ଷମାନଙ୍କ ଭଳି କିଛିବନ୍ଧୁ ମଞ୍ଚରେ ନିଜନିଜର ଛାତ୍ର ଜୀବନର ଅବିସ୍ମରଣୀୟ ସ୍ମୃତି,ଅନୁଭୂତି, ପ୍ରେମ,ପ୍ରତାରଣା,ମିଳନ,ବିରର ଅନୁଭୂତି ବଖାଣିଥିଲେ। କିଛିବନ୍ଧୁ ଗୀତ ଗାଇଥିଲେ,ସ୍ୱରଚିତ କବିତାପାଠ, ଜୋକ୍ସ୍ ପରିବେଷଣ କରିଥିଲେ। ନୃତ୍ୟ,ଗୀତ, ସଙ୍ଗୀତ, ଖାଦ୍ୟପେୟ,ଗପସପ,ଫଟୋ ଉତ୍ତୋଳନ ଆଦିର ମଧୁର ମାହୋଲ୍ ଭିତରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ହଜି ଓ ମଜ୍ଜି ଯାଇଥିଲେ।

ବନ୍ଧୁ କାଳିପ୍ରସନ୍ନ ମହାପାତ୍ର, ସୁଶ୍ରୀରେଖା ମହାନ୍ତି,ଆଲୋକ ମିଶ୍ର, ତୁଷାରରଞ୍ଜନ ଦାସ (ଲୁଲୁ ), ଅମିୟ ପାଣି, ଯୋଗୀନାଥ ବାହୁବଳେନ୍ଦ୍ର, ଗୌତମ ମହାନ୍ତି, ଚିନୁ ମିଶ୍ର, ମଧୁସ୍ମିତା ସ୍ୱାଇଁ, ପ୍ରଣତି ରାୟ, ଶୌର୍ଯ୍ୟକାନ୍ତ ରାୟ, ଆଭା ମିଶ୍ର, ରାଧାଶ୍ୟାମ ରାଉଳ, ଶଶିକାନ୍ତ ବାରିକ,ସଂଜୀବ କୁମାର ଜେନା, କ୍ଷୀରୋଦ ମିଶ୍ର, ଶଶାଙ୍କଶେଖର ଜେନା, ଆର୍ ମାଧବୀ, ଅରୁଣ କୁମାର ଦାସ, ଲକ୍ଷ୍ମୀକାନ୍ତ ପଣ୍ଡା,ଶ୍ରୀଧର ସେଠୀ, ଅନିରୁଦ୍ଧ ବେହେରା, ହର୍ଷମଣି ନାୟକ, ଗାୟତ୍ରୀ ଧଳ, ମାମୁନି ପଣ୍ଡା, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ରାଧାଶ୍ୟାମ ପଲେଇ ଏବଂ ଶତାଧିକ ବନ୍ଧୁ ଓ ପରିବାର ସଦସ୍ୟଗଣ ଏହି ବନ୍ଧୁମିଳନ ପର୍ବକୁ ସମ୍ପୂର୍ଣ୍ଣ ସଫଳ ଓ ସର୍ବାଙ୍ଗ ସୁନ୍ଦର କରିଥିଲେ।

ଶେଷରେ ବନ୍ଧୁ ସଂଖୋଳିବା, ବନ୍ଧୁତ୍ୱର ଭୁରିଭୁରି ଜୟଗାନ କରିବା, ନୂଆବର୍ଷ ୨୦୨୬କୁ ଅଗ୍ରୀମ ସ୍ୱାଗତ କରିବା, ବଞ୍ଚି ରହିଥିଲେ ଆସନ୍ତା ବର୍ଷକୁ ପୁଣିଥରେ ଦେଖା ହେବାର ପ୍ରେମପୂର୍ଣ୍ଣ ପ୍ରତିଶ୍ରୁତି ଭାବପୂର୍ଣ୍ଣ ଉପଲବ୍ଧିର ସହିତ ବନ୍ଧୁମାନେ ପରସ୍ପର ଠାରୁ ବିଦାୟ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.