ବାଲେଶ୍ୱର ଜିଲ୍ଲା ପ୍ରଦୂଷଣରେ ଏକ ନମ୍ବର: ଜିଲ୍ଲା ପ୍ରଶାସନ ପ୍ରଦୂଷଣ ରୋକିବା ନେଇ ହେଲେ ତତ୍ପର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା କିଛି ଦିନ ତଳେ ଖବରର ଶିରୋନାମା ସାଜିଥିଲା ଏକ ପ୍ରଦୂଷଣ ସହର ଭାବେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବେ ତତ୍ପର ହୋଇଛନ୍ତି। ବର୍ତ୍ତମାନ ସହରାଞ୍ଚଳରେ ପ୍ରଦୂଷିତ ବାୟୁର ମାତ୍ରାକୁ ଦୃଷ୍ଟିରେ ରଖି ଏବଂ (GRAP) ଜିଆରଏପି ଷ୍ଟେଜ୍–୨ ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା–୧୬୩ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି।

ଏହି ଆଦେଶ ଆଗାମୀ ୭ ଦିନ ଯାଏଁ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନ୍ଏସି ଓ ୟୁଏଲବି ଅଞ୍ଚଳରେ ବଳବତ୍ତର ରହିବ। ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ ବୋଲି ମଧ୍ୟ କୁହାଯାଇଛି। ଯେଉଁ ନିଷେଧାଦେଶ ଲାଗୁ ହୋଇଛି ସେସବୁ ହେଲା ପ୍ରତିଦିନ ସନ୍ଧ୍ୟା ୬.୦୦ ରୁ ପ୍ରଭାତ ୧୦.୦୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିବ। ପୌରପାଳିକା/ୟୁଏଲବି ସୀମା ଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ରହିବ।

ପୌରପାଳିକା/ୟୁଏଲବି ଓ ଏନଏଚଏଆଇ ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ। ବାଲେଶ୍ୱର ସହର ଓ ଅନ୍ୟ ୟୁଏଲବି ଅଞ୍ଚଳରେ ଭାରୀ ଯାନ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ ରହିବ। ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲା ଅଗ୍ନି ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ବାଲେଶ୍ୱର ଓ ନୀଳଗିରି ଉପଜିଲ୍ଲାପାଳ ଏବଂ ଆରଟିଓ ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ୍ ଭରା ଟ୍ରକ୍‌ମାନଙ୍କର ଦିନରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବା ସହ ବିନା ତର୍ପୋଲିନ ଟ୍ରକ୍‌ଗୁଡ଼ିକୁ ଜାତୀୟ ରାଜପଥ ୧୬, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଯଥୋଚିତ ଅନୁମତି ବିନା କୌଣସି ଇଟାଭାଟି ଚାଲିବ ନାହିଁ। ଏନଏଚଏଆଇ ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ଛିଟାକୁ ସୁନିଶ୍ଚିତ କରିବେ।

ଆପଦକାଳୀନ ଦୃଷ୍ଟିରେ ଏହି ଆଦେଶ ବିଏନଏସଏସ ଧାରା–୧୬୩(୨) ଅନୁଯାୟୀ ଜାରି କରାଯାଇଥିବାରୁ ପୋଲିସ, ପୌରପାଳିକା/ୟୁଏଲବି, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ଆରଟିଓକୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରାଇବେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.