ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ତଥା ଭାଷାବିତ୍ ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ରୁପ୍ରା ସରପଞ୍ଚ ଡଲି ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ପୁରାତନ ଛାତ୍ର ସଂଘର ସାଂଗଠନିକ ସଂପାଦକ ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିବାବେଳେ ସଂସଦର ସଭାପତି ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରାତନ ତଥା ଅଧୁନାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ପ୍ରତି ବ୍ୟାଚ୍ ଦ୍ଵାରା ଗୁରୁପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରେପରେ ଭବାନୀପାଟଣା ‘ପ୍ରତିଭା’ ଅନୁଷ୍ଠାନର ସିଂଗାରୀ ନୃତ୍ୟ ଏବଂ ପ୍ରଖ୍ୟାତ ଲୋକକଳାକାର ସର୍ବେଶ୍ଵର ଭୋଇଙ୍କ ମେଲୋଡି ପ୍ରଦର୍ଶିତ ହୋଇଥିଲା। ଏହା ପୂର୍ବରୁ ଅନୁଷ୍ଠିତ ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ଏଡିଇଓ ହେମସାଗର ମହାନନ୍ଦ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଡୁ ମହାଲିଙ୍ଗ, ଭୂମିଦାତା ବିଜୟ ସେନାପତି, ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ମଞ୍ଚାସୀନ ଥିଲେ। ପୁରାତନ ଛାତ୍ର ସଂଘ ସମ୍ପାଦକ ତେଜରାଜ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ମଧୁସ୍ମିତା ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶନୀ ମଞ୍ଚ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ଆଦିତ୍ୟ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଜତ ଜୟନ୍ତୀ ସମାରୋହ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।




