ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମ୍ବଲପୁର ଲୋକମହୋତ୍ସବ-୨୦୨୬ ଅବସରରେ ଲୋକସଂସ୍କୃତି ଗବେଷଣା କ୍ଷେତ୍ରରେ କୃତିତ୍ୱ ପାଇଁ କଳାହାଣ୍ଡିର ବିଶିଷ୍ଟ ଗବେଷକ ପରମେଶ୍ବର ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୁପ୍ତପ୍ରାୟ ଲୋକକଳା, ସଂସ୍କୃତି, ପରମ୍ପରାର କ୍ଷେତ୍ର ଅଧ୍ୟୟନ ପୂର୍ବକ ଗବେଷଣା କରି ତାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ସୂଚନା ମିଳିଛି। ସମ୍ବର୍ଦ୍ଧନା ସ୍ୱରୂପ ସେ ମାନପତ୍ର, ଉପଢୌକନ, ଟ୍ରଫି ତଥା ୧୦ ହଜାର ଟଙ୍କା ଅର୍ଥରାଶି ଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅତିଥି ଭାବେ ଯୋଗଦେଇ ଶ୍ରୀ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଜିଲ୍ଲାପାଳ ତଥା ସମ୍ବଲପୁର ଲୋକମହୋତ୍ସବ ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମୁଣ୍ଡ ନିଜ ପ୍ରତିକ୍ରିୟାରେ ଏହା ପଶ୍ଚିମ ଓଡିଶା ପାଇଁ ଆଉ କିଛି ନୂଆ କରିବାକୁ ଉତ୍ସାହ ଯୋଗାଇବ ବୋଲି ପ୍ରକାଶ କରିବା ସହ ସମ୍ବଲପୁର ଜିଲ୍ଲାପାଳ, ସମ୍ବର୍ଦ୍ଧନା କମିଟି ଆବାହକ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ଅତୀଶ ଶତପଥୀ ଏବଂ ଚୟନକର୍ତ୍ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଜ୍ୟରେ ପ୍ରଥମଥର ପାଇଁ ଲୋକମହୋତ୍ସବରେ ଲୋକସଂସ୍କୃତି ଗବେଷକଙ୍କୁ ସମ୍ବର୍ଦ୍ଧନାର ଅଭିନବ ପରମ୍ପରା ଆରମ୍ଭ ହୋଇଥିବାରୁ ସଂସ୍କୃତିପ୍ରେମୀ ମହଲରେ ଏହାକୁ ସ୍ଵାଗତ କରାଯାଇଛି।




