ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୄଷି ଓ କୄଷକ ସଶକ୍ତି କରଣ ବିଭାଗ ଦ୍ୱାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲା ସ୍ତରୀୟ କୄଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆ ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି l ଜାନୁଆରୀ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମେଳାର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କାଡ୍ରାକା ଆପାଲାସ୍ୱାମୀ ମାନ୍ୟବର ବିଧାୟକ ରାୟଗଡ଼ା ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ମାନ୍ୟବର ବିଧାୟକ ଗୁଣପୁର,ଟୁନି ହୁଇକା ଅଧ୍ୟକ୍ଷା ପଞ୍ଚାୟତ ସମିତି ରାୟଗଡ଼ା, ଶ୍ରୀମତୀ ପଦ୍ମାବତୀ ମାଣ୍ଡିକା ଜିଲ୍ଲା ପରିଷଦ ସଭ୍ୟା ରାୟଗଡ଼ା, ଶ୍ରୀମତୀ ସନ୍ଧ୍ୟାରାଣୀ ଉଲାକା ଜିଲ୍ଲା ପରିଷଦ ସଭ୍ୟା ରାୟଗଡ଼ା, ଶ୍ରୀଯୁକ୍ତ ପ୍ରଶାନ୍ତ କୁଲେସିକା ଜିଲ୍ଲା ପରିଷଦ ସଭ୍ୟ ରାୟଗଡ଼ା, ଶ୍ରୀଯୁକ୍ତ ବି.ଭି.ପ୍ରସାଦ ରାଓ ଜିଲ୍ଲା ପରିଷଦ ସଭ୍ୟ କଲ୍ୟାଣସିଂହପୁର, ଶ୍ରୀଯୁକ୍ତ ଏସ.କେ.ଏହେସାନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ଼ା, ଡ଼ଃ ସୁସ୍ମିତା ମହାନ୍ତି ବରିଷ୍ଠ ବୈଜ୍ଞ|ନିକା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର, କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟସ୍ୱରୂପ ପଣ୍ଡା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରାୟଗଡ଼ା ଯୋଗ ଦେଇଥିଲେ । ପ୍ରଥମେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପଣ୍ଡା, ଗୁଣପୁର ଙ୍କ ସ୍ୱାଗତ ଅଭିଭାଷଣ ପରେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ମେଳାର ଉଦେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥି ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ନିଜ ଅଭିଭାଷଣ ରେ କହିଲେ ” ରାୟଗଡ ଏକ ୫ମ ଅନୁଚ୍ଛେଦ କ୍ଷେତ୍ର ହୋଇଥିବାରୁ ଏଠାରେ ୭୦ ପ୍ରତିଶତ ଆଦିବାସୀଙ୍କ କୃଷି ଉପରେ ନିର୍ଭର ଏବଂ ଏଠାରେ ଏକ ସ୍ୱତନ୍ତ୍ର ଆଦିବାସୀ ବଜାରର ଅବଶ୍ୟକତା ରହିଛି,ଯାହା ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବ ଏବଂ ଅର୍ଥନୈତିକ ସ୍ୱାବଲମ୍ବନ ନିଶ୍ଚିତ କରିବ । ଏହା ସହିତ ରାୟଗଡ଼ା ରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାରଙ୍କୁ ନିବେଦନ କରିଥିଲେ l ଏହି ମେଳାରେ ଯୋଗଦେଇ ଥିବା ଅତିଥିମାନେ ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀ ରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରି ବର୍ତ୍ତମାନ ଯୁଗରେ କୃଷି କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ପ୍ରତ୍ସାହିତ ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ନୂତନ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀର କିପରି ସର୍ବାଙ୍ଗୀନ ଉନ୍ନତି ସାଧନ ହେବ ସେଥିପ୍ରତି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଆଲୋକପାତ କରିଥିଲେ । କୃଷକ ପାଠଶାଳା ଆଲୋଚନା ଚକ୍ରରେ ସମ୍ବଳ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ କୃଷକ ମାନଙ୍କୁ କୃଷି ଯନ୍ତ୍ରପାତି ବ୍ୟବହାର କରି କିପରି ଚାଷୀର ଅମଳ ତଥା ଆୟ ବହୁଗୁଣିତ କରିହେବ ବୁଝାଇଥିଲେ । ଏହି ମେଳାରେ ମୋଟ ୭୯ ଟି ପ୍ରଦର୍ଶନୀ ଷ୍ଟଲ୍ ମଧ୍ୟରୁ ୪୫ ଗୋଟି ଷ୍ଟଲ୍ ମଧ୍ୟରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଯଥା:- କମ୍ବାଇନ୍ ହାରଭେଷ୍ଟର୍, ଟ୍ରାକ୍ଟର୍,ପାୱାର୍ ଟିଲର୍, ଟ୍ରାନ୍ସ ପ୍ଲାଣ୍ଟର, ପାୱାର୍ ଥ୍ରେସର, ରିପର୍, ବିଭିନ୍ନ ପମ୍ପସେଟ୍ ପ୍ରଭୃତି ସ୍ୱୀକୃତି ପ୍ରାପ୍ତ ଡ଼ିଲର୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ବିଭିନ୍ନ ଷ୍ଟଲ୍ ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, କୃଷି ଓ ଅନୁସଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର,ବ୍ୟାଙ୍କ୍ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣ ର ସୁଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳ ବୁକିଂ ବ୍ୟବସ୍ଥା, ଅଗ୍ରୀମ ରିହାତି ପ୍ରଦାନ ପାଇଁ e-RUPI ର ବ୍ୟବହାର ପ୍ରଭୃତି ବିଷୟରେ ମୂଲ୍ୟବାନ ପରାମର୍ଶ ଦିଆଯାଇଥିଲା। ମେଳାର ପ୍ରଥମ ଦିନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାଷ ଓ ଚାଷୀ ସମାଜର ଉନ୍ନତି କରିଥିବା ଶ୍ରୀ ବନ୍ଧୁ ପ୍ରାସ୍କା, କଲ୍ୟାଣସିଂହପୁର ବ୍ଲକ, ଶ୍ରୀ ଧର୍ମ ପିଡ଼ିକା ଓ ଶ୍ରୀ ପ୍ରକାଶ ରାଓ, ରାୟଗଡ଼ା ବ୍ଲକ ଏବଂ ଶ୍ରୀ ନାରାୟଣ ସାହୁ କୋଲନରା ବ୍ଲକ ଆଦି ୪ ଜଣ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ଅପରାହ୍ନରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପରିବେଷଣ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣୀୟ କରିଥିଲା ଓ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଓ ମୋମେଂଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ ସହକାରୀ ବୈଷୟିକ ପରିଚାଳକ ମୁନିଗୁଡ଼ା ମଞ୍ଚକୁ ପରିଚାଳନା କରିଥିଲେ । ଶେଷରେ ଶ୍ରୀଯୁକ୍ତ ଏସ.କେ. ଏହେସାନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡ଼ ଜିଲ୍ଲା ର ସମସ୍ତ କୃଷି ଅଧିକାରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ l




