ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଅନୁଷ୍ଠିତ ହେଲା ତୀର୍ଥଯାତ୍ରା ଟ୍ରେନର ଫ୍ଲାଗ୍‌ଅଫ୍ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନରେ ବାଲେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର–୧ ଠାରେ ଦଶମ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ତୀର୍ଥଯାତ୍ରା ଟ୍ରେନର ଫ୍ଲାଗ୍‌ଅଫ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଟ୍ରେନକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ରୁଦ୍ରନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ, ଆଇଆରସିଟିସିର ଯୁଗ୍ମ ସଚିବ ଶ୍ରୀ କାନ୍ତି ସବରକର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତୀର୍ଥଯାତ୍ରା ଟ୍ରେନରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ଏସ୍କର୍ଟ ଅଫିସର୍, ମୋଟ ୮୦୦ ଜଣ, ମଦୁରାଇ ଓ ରାମେଶ୍ୱରମ ତୀର୍ଥଯାତ୍ରା ପାଇଁ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୧୮୦ ଜଣ, ମୟୂରଭଞ୍ଜରୁ ୧୯୬, କେନ୍ଦୁଝରରୁ ୧୪୦, ଯାଜପୁରରୁ ୧୪୨ ଏବଂ ଭଦ୍ରକରୁ ୧୧୭ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ଅଛନ୍ତି।ତୀର୍ଥଯାତ୍ରୀମାନେ ଗତକାଲି ବାଲେଶ୍ୱର ସ୍ଥିତ ନୋସି ବିଜନେସ ପାର୍କ ଠାରେ ରାତ୍ରିଯାପନ କରିଥିଲେ, ଯେଉଁଠାରେ ସେମାନଙ୍କ ପାଇଁ ଖାଦ୍ୟ, ରହଣୀ, ସ୍ୱଚ୍ଛତା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ସମଗ୍ର ଯାତ୍ରାକାଳୀନ ସମୟରେ ଯାତ୍ରୀମାନଙ୍କ ଯାତାୟାତ, ରହଣୀ, ଭୋଜନ, ସୁରକ୍ଷା, ଚିକିତ୍ସା, ଯାତ୍ରାବୀମା ଓ ପଥପ୍ରଦର୍ଶନର ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯାଇଛି।ତୀର୍ଥଯାତ୍ରା ସମାପ୍ତି ପରେ ବରିଷ୍ଠ ନାଗରିକମାନେ ଆସନ୍ତା ୧୨ ଜାନୁଆରୀରେ ବାଲେଶ୍ୱରକୁ ଫେରିବେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଘର ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନର ସୁବିଧା ଓଡ଼ିଶା ସରକାର ପକ୍ଷରୁ ନିଶ୍ଚିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.