ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ସାର୍କ ଙ୍କ ତତ୍ତ୍ୱାବଧାନରେ ସମାଜରେ ଅବହେଳିତ ଓ ନିର୍ଯାତିତ ମହିଳାମାନଙ୍କୁ ପୋଲିସ ସହାୟତା, ଆଇନଗତ ସହାୟତା, ଡାକ୍ତରୀ ସହାୟତା, ମନୋବୈଜ୍ଞାନିକ ଓ ସାମାଜିକ ପରାମର୍ଶ, ସାମୟିକ ଆଶ୍ରୟ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ୱାନ୍ ଷ୍ଟପ୍ ସେଣ୍ଟର (OSC) କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ଥାପିତ ହୋଇଛି।
ଏହି ୱାନ୍ ଷ୍ଟପ୍ ସେଣ୍ଟରର ଉଦ୍ଘାଟନ ଆଦ୍ୟ ତାରିଖ ୦୭.୦୧.୨୦୨୬ ରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଙ୍କ ଦ୍ୱାରା କରାଯାଇଥିଲା।
ଏହି ଅବସରରେ ମନ୍ତ୍ରୀ କୁଚିଣ୍ଡା ଉପଖଣ୍ଡର ନିର୍ଯାତିତ ମହିଳାମାନେ ନିଜ ଅଞ୍ଚଳରେ ନ୍ୟାୟ ଓ ଉଚିତ ସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ସେ ସମାଜରୁ ଘରୋଇ ହିଂସା, ନାରୀ ନିର୍ଯାତନା ଭଳି ଅପରାଧ ଦୂର କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ।
କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସି. ସରଭାନନ୍ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ସାହୁ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ପାଢ଼ୀ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଶ୍ରୀଯୁକ୍ତ ସୁବୋଧ କୁମାର ନାଏକ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ଦେଓ, ସମ୍ବଲପୁର ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସରିତା ଦାଶ ଓ ସାର୍କ ସଂସ୍ଥାର ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।
ଏହି ଅବସରରେ ୱାନ୍ ଷ୍ଟପ୍ ସେଣ୍ଟରର ପ୍ରାଚୀର ପତ୍ର ଓ ସଚେତନତା ଲିଫ୍ଲେଟ ଉନ୍ମୋଚନ କରାଯାଇଥିଲା। ସେଥିସହ କୁଚିଣ୍ଡା ୱାନ୍ ଷ୍ଟପ୍ ସେଣ୍ଟରର ନୂତନ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ସମସ୍ତ ସିଡିପିଓ, ପର୍ଯ୍ୟବେକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଦଳର ସଦସ୍ୟା, ସଖୀ ସମ୍ବଲପୁର ଏବଂ ସାର୍କ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା ଶେଷରେ କୁଚିଣ୍ଡା ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ଶ୍ରୀମତୀ ଜ୍ୟୋତି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।




