ବାମସେଫ୍ କନଭେନସନ ବାତିଲ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ; କଳାହାଣ୍ଡିରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

କଲମପୁର/ ଓଡ଼ିଆ ବାର୍ତ୍ତା (ଭୋଜରାଜ ଛତ୍ରିଆ): କଟକରେ ଅନୁଷ୍ଠିତ ହେବାକୁ ଥିବା ବାମସେଫ୍ (ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ୍ ଏମ୍ପ୍ଲଏଜ୍ ଫେଡରେସନ୍)ର ୪୨ତମ ଯୁଗ୍ମ ରାଷ୍ଟ୍ରୀୟ ଅଧିବେଶନ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ୧୫ତମ ରାଷ୍ଟ୍ରୀୟ ଅଧିବେଶନର ଅନୁମତି ଶେଷ ମୁହୂର୍ତ୍ତରେ ବାତିଲ ହେବାକୁ ନେଇ, ଭାରତ ମୁକ୍ତି ମୋର୍ଚ୍ଚା (ବିଏମଏମ) ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା (ଆର୍‌ପିଭିଏମ୍) ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ଆଜି ଦେଶର ୭୨୫ଟି ଜିଲ୍ଲାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରାଷ୍ଟ୍ରୀୟ ପିଛୁଆ ବର୍ଗ ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଦୈତାରି ଦୀପଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଆର୍‌ଏସ୍‌ଏସ୍-ବିଜେପି ସମ୍ପର୍କିତ ଲୋକଙ୍କ ଷଡ଼ଯନ୍ତ୍ରରେ ଅଧିବେଶନର ଅନୁମତି ବାତିଲ ହୋଇଥିବା ଅଭିଯୋଗ କରାଯାଇଛି। ଏହା ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଘ୍ନ ବୋଲି ଦାବି କରି ଓବିସିଙ୍କ ଜାତିଭିତ୍ତିକ ଗଣନା ଦାବିକୁ ଦବାଇବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି।
ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କଟକର ବାଲିଯାତ୍ରା ଲୋଅର ଗ୍ରାଉଣ୍ଡରେ ଏହି ଅଧିବେଶନ ଆୟୋଜନ ହେବାକୁ ଥିଲା। ଦୁଇ ମାସ ପୂର୍ବରୁ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସ୍ ବିଭାଗରୁ ଅନୁମତି ମିଳିଥିଲା। ହଜାର ହଜାର ପ୍ରତିନିଧି ଦେଶ-ବିଦେଶରୁ ଯୋଗ ଦେବାକୁ ଟିକଟ୍ ବୁକ୍ କରିସାରିଥିଲେ। ଆୟୋଜକମାନେ ମଞ୍ଚ, ପ୍ୟାଣ୍ଡାଲ ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରାୟ ସମ୍ପୂର୍ଣ୍ଣ କରିସାରିଥିଲେ। କିନ୍ତୁ ଡିସେମ୍ବର ୨୧ରେ ହଠାତ୍ ଅନୁମତି ବାତିଲ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ମଧ୍ୟ ଅନ୍ତରୀଣ ରିଲିଫ୍ ଦେବାକୁ ମନା କରିଦେଇଥିଲେ, କାରଣ ସାମ୍ପ୍ରଦାୟିକ ସଦ୍‌ଭାବନା ବିଗିଡ଼ିବାର ଆଶଙ୍କା ରହିଛି ବୋଲି ପ୍ରଶାସନ କହିଥିଲା। ସ୍ମାରକପତ୍ରରେ ଏହାକୁ ସମ୍ବିଧାନର ଅନୁଚ୍ଛେଦ ୧୪ (ସମାନତା), ୧୯(୧)(ଏ) (ଅଭିବ୍ୟକ୍ତି ସ୍ୱାଧୀନତା), ୧୯(୧)(ବି) (ସମାବେଶ ସ୍ୱାଧୀନତା) ଓ ୧୯(୧)(ସି) (ସଂଗଠନ ଗଠନ ଅଧିକାର)ର ଉଲ୍ଲଘ୍ନ ବୋଲି ଉଲ୍ଲେଖ କରାଯାଇଛି। ଡଃ ବାବାସାହେବ ଆମ୍ବେଦକରଙ୍କ ଉଦ୍ଧୃତି ଦେଇ କୁହାଯାଇଛି ଯେ ମୌଳିକ ଅଧିକାର ସମ୍ବିଧାନର ଆତ୍ମା। ଏହି ଘଟଣା ବହୁଜନ ସମାଜର ଆବାଜ୍ ଦବାଇବାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ଜ୍ଞାପନପତ୍ରରେ ଦାବି କରାଯାଇଛି ଯେ, ଅଧିବେଶନର ଅନୁମତି ତୁରନ୍ତ ଦିଆଯାଉ। ଆୟୋଜକ ଓ ପ୍ରତିନିଧିଙ୍କ କ୍ଷତିର କ୍ଷତିପୂରଣ ଦିଆଯାଉ। ରାଜନୈତିକ ଚାପରେ କାର୍ଯ୍ୟକ୍ରମ ବନ୍ଦ କରିବାର ପରମ୍ପରା ବନ୍ଦ କରିବାକୁ ନିୟମ ପ୍ରଣୟନ, ଓବିସି ଜାତିଗତ ଗଣନା ଦବାଇବାର ଷଡ଼ଯନ୍ତ୍ରର ନିରପେକ୍ଷ ତଦନ୍ତ, ଏବଂ ଓଡ଼ିଶା ସରକାରଙ୍କୁ ଅନୁଚ୍ଛେଦ ୩୫୬ ଅନୁଯାୟୀ ବହିଷ୍କାର ଉଲ୍ଲେଖ କରାଯାଇଛି। ଅଧିବେଶନ ଅନୁମତିକୁ ବାତିଲ ନେଇ ପ୍ରଥମ ପର୍ଯ୍ୟାୟରେ ୭ ଜାନୁଆରି – ୭୨୫ ଜିଲ୍ଲାରେ ସ୍ମାରକପତ୍ର। ଦ୍ବିତୀୟ ପର୍ଯ୍ୟାୟରେ ୧୫ ଜାନୁଆରି – ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ। ତୃତୀୟ ପର୍ଯ୍ୟାୟରେ ୨୨ ଜାନୁଆରି – ରାଲି ଏବଂ ଚତୁର୍ଥ ପର୍ଯ୍ୟାୟରେ ୨୨ ଫେବୃଆରି – ନାଗପୁରରେ ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ସମ୍ମୁଖରେ ଲକ୍ଷାଧିକ ଲୋକଙ୍କ ମହାରାଲିର ଡାକରା ଦିଆଯାଇଛି
ଯଦି ଦାବି ପୂରଣ ନହୁଏ, ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନ ସମ୍ବିଧାନ ଉପରେ ଆକ୍ରମଣ ଓ ବହୁଜନଙ୍କ ସାମ୍ବିଧାନିକ ସ୍ୱାଧୀନତା ଧ୍ୱଂସ ବିରୋଧରେ ବୋଲି କୁହାଯାଇଛି। ଉକ୍ତ ଜ୍ଞାପନପତ୍ର ପ୍ରଦାନ ସମୟରେ ମାଧବ ସୁନାନୀ ରାଜ୍ୟ ପ୍ରଭାରୀ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ଲିଙ୍ଗରାଜ ଆଜାଦ୍ ବିଶିଷ୍ଟ ଜନବାଦି ନେତା, ଡମ୍ବରୁଧର ମାଝୀ ରାଜ୍ୟ ସଭାପତି ଆର୍ ଏମ୍ ବିକେଏସ ଓଡ଼ିଶା, ଲବ କରୁଆ ରାଜ୍ୟ ସମ୍ପାଦକ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ଖିରସିନ୍ଧୁ ବୋଡକିଆ ଜିଲ୍ଲା ସଭାପତି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି, ମହେନ୍ଦ୍ର ଧଙ୍ଗଡା ମାଝୀ ଜିଲ୍ଲା ସଭାପତି ବହୁଜନ ମୁକ୍ତି ପାର୍ଟି, ସଂଜୟ ଶବର ଜିଲ୍ଲା ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଦୁର୍ଯୋଧନ ଜାଲ ରାଜ୍ୟ ସଭାପତି କୃଷକ ମୋର୍ଚ୍ଚା ଓଡ଼ିଶା, କଲିମ ଖାଁ, ରାଜକିଶୋର ସୁନାନୀ,ବିଜୟ ମହାନନ୍ଦ, ପୁର୍ଣ୍ଣଚନ୍ଦ୍ର ବାଗ, ଯୁବରାଜ ଛତ୍ରିଆ, କିଶୋର ଚନ୍ଦ୍ର ପଟେଲ୍,ଯାଦବ ଶବର , ବାଲେଶ୍ଵର ହରପାଲ,ଏବଂ ଅନେକ ସଂଗଠନର କର୍ମକର୍ତ୍ତା, ସମାଜସେବୀ, ବହୁଜନ ସଂଗଠକ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସରକାର ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଘଟଣା ଜାତିଗତ ଗଣନା ଓ ସମ୍ବିଧାନିକ ଅଧିକାର ସମ୍ପର୍କିତ ବିବାଦକୁ ଆହୁରି ଉତ୍ତେଜିତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.