ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଜଳପୁରୁଷ କାର୍ଜୀ ମାଝୀ ମଞ୍ଚ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱନାଥପୁରସ୍ଥିତ ବେତାଳି ଭୈରବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବ ପଡ଼ିଆକୁ ପହଞ୍ଚିଥିଲା। ମଞ୍ଚ ପୂଜା ପରେ ପରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟିତ ହୋଇଥିଲା। ଉଦଘାଟକ ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ମା ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ,ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ ପ୍ରଧାନୀ ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ସମାଜସେବୀ ତୁଳସୀ ମାଝୀ, ନରେନ୍ଦ୍ର ବେହେରା, ଅନନ୍ତ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲକର ୨୬ଗୋଟି ପଞ୍ଚାୟତ ଅଞ୍ଚଳରୁ ୪୦ରୁ ଉର୍ଦ୍ଧ୍ଵ ନୃତ୍ୟଦଳ ସାମିଲ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ଭୁଏ, ଗୋପାଳଦାସ ମହାନନ୍ଦ ଓ ସୁଶୀଲ କୁମାର ବାଗ ପରିଚାଳନା କରିଥିଲେ। ରାୟଗଡାରୁ ଆସିଥିବା ଯାଦୁକର ଏସ. ଅରୁଣ କୁମାରଙ୍କ ମ୍ୟାଜିକ ସୋକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।




