ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦୁଲୁକୁଛି ସୁବର୍ଣ୍ଣପୁର । ଉଦଘାଟିତ ହୋଇଯାଇଛି “ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ” ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା ଓ ଆବାହନ ପରେ ଉତ୍ସବର ସଫଳତା କାମନା କରି ମା ଙ୍କ ଠାରୁ ଅଣାଯାଇଥିବା ମଶାଲକୁ ଶୋଭାଯାତ୍ରାରେ ମା ସୁରେଶ୍ଵରୀ ଙ୍କ ମନ୍ଦିରରୁ ପ୍ରଥମେ ରୟାଲ ପଡିଆ ପରେ ସେଠାରୁ ସମସ୍ତ କଳାକାରଙ୍କ ନୃତ୍ୟ ଗୀତ ର ତାଳେ ତାଳେ ସହର ପରିକ୍ରମା କରି ସ୍ଥାନୀୟ ରାମେଶ୍ଵର ଷ୍ଟାଡିୟମ ଠାରେ ପହଞ୍ଚିଥିଲା ।

ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସମେତ ଏଡିଏମ୍ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପଧାନ, ସିଡିଇଓ ଅଶ୍ଵିନୀ ମେହେର, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଙ୍କ ସମେତ ବିଭିନ୍ନ ଅଧିକାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ମଶାଲ ଶୋଭାଯାତ୍ରା ରାମେଶ୍ବର ଷ୍ଟାଡିୟମରେ ପହଞ୍ଚିବା ପରେ ଷ୍ଟାଡିୟମର ଫକୀର ପଟ୍ଟନାୟକ ମୁକ୍ତମଞ୍ଚ ତଥା ସାଂସ୍କୃତିକ ମଞ୍ଚରେ ମା ସୁରେଶ୍ଵରୀଙ୍କ ମଞ୍ଚ ପୂଜା ପରେ ଜିଲ୍ଲାପାଳ ଙ୍କ ଦ୍ଵାରା ମଶାଲ ସ୍ଥାପନା କରାଯାଇଥିଲା ।

ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର କଳା ସଂସ୍କୃତି ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନ ହୋଇଯାଇଛି ।

ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ଯୋଗ ଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିବା ପରେ ଲୋକ ମହୋତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପରେ ସେ ପଲ୍ଲୀଶ୍ରୀ ମେଳା ପରିଦର୍ଶନ କରିଥିଲେ ।

ଇଂ ଶ୍ରୀ ଜଗଦଲା ତାଙ୍କ ଉଦବୋଧନରେ କହିଥିଲେ ନିଜ ଜିଲ୍ଲାର ସ୍ବାର୍ଥ ହାସଲ ପାଇଁ ମୁଁ ବିଧାନସଭାରେ ପ୍ରତିଯୋଗୀତା ଭଳି ଲଢେଇ କରେ ସେଥି ପାଇଁ ମୁଁ ନିଜକୁ ସ୍ୱାର୍ଥ ପର ବୋଲି କହେ, ଜ୍ଞାନକୁ ଉପଯୋଗ କଲେ ହିଁ କ୍ଷମତା ଶାଳୀ ହୋଇ ପାରିବେ ବୋଲି କହି ଆମ ଜିଲ୍ଲାର କୃଷି ଶିଳ୍ପ ଓ ପର୍ଯ୍ୟଟନର ବିକାଶ ପାଇଁ ଚେଷ୍ଟା ଜାରି ରଖିବି ବୋଲି ଇଂ ଶ୍ରୀ ଜଗଦଲା କହିଥିଲେ ।

ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବିଜେପି ର ଜିଲ୍ଲା ସଭାପତି ବେଣୁଧର ଦାଶ ଯୋଗଦେଇ ସୁବର୍ଣ୍ଣପୁରର କଳା ସଂସ୍କୃତି ଅନନ୍ୟ ବୋଲି କହିଥିଲେ । ସଭାକାର୍ଯ୍ୟ ପରେ ସ୍ମରଣିକା “ଶାକ୍ତସ୍ୱର” ଅତିଥି ମାନଙ୍କ ଉନ୍ମୋଚନ ହୋଇଥିଲା ।

ଭୀମଭୋଇ କଳା ପରିଷଦର ସଂପାଦକ ସଙ୍ଗୀତ ନିର୍ଦ୍ଦେଶକ ଉମେଶ କୁମ୍ଭାରଙ୍କ ସମେତ ସାଥୀ କଳାକାର ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ “ଆମେ ତ ସୁରେଶ୍ଵରୀ ମା ର ଛୁଆ ଗୋ ଆମେ ସୋନପୁରିଆ” ପରିବେଷଣ କରିଥିଲେ । ସଭାକାର୍ଯ୍ଯ ଶେଷରେ ସିଡିଇଓ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଆଜି ଉଦ୍ଘାଟନୀ ଦିବସରେ ସଙ୍ଗୀତ ମହାବିଦ୍ୟାଳୟ ସୁବର୍ଣ୍ଣପୁର, ବରଗଡ଼ର କଳାଜିବୀ, ଆସାମର ବିହୁନାଚ, ମୟୂରଭଞ୍ଜର ଛଉନାଚ, ଟ୍ରେଣ୍ଡି ଏକାଡେମୀ ସୋନପୁର, ପଞ୍ଜାବର ଭାଙ୍ଗଡା, ସମ୍ବଲପୁରର ରଙ୍ଗ ଫରୁଆ, କନ୍ଧମାଳର ସିଙ୍ଗ ନୃତ୍ୟ, ବଲାଙ୍ଗିରର ଦୂଲଦୁଲି କଳା ପରିଷଦ, କରମସାନି କଳା ପରିଷଦ ପଣ୍ଡକିଟାଲ, ରୁମକୁ ଝୁମାନା, କରମସାନି କଳା ପରିଷଦ ଉଲୁଣ୍ଡା ଟ୍ରୁପ କଳାକାରଙ୍କ ନାଚ ଗୀତକୁ ପ୍ରବଳ ଶୀତରେ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ଫୁଡକୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ବେଳେ ମହୋତ୍ସବ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପୋଲିସ ବିଭାଗ ପକ୍ଷରୁ କରାଯାଇଥିବା ଏସପି ନାରାୟଣ ନାୟକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.