ବାଲେଶ୍ୱର ଠାରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଉଦଘାଟିତ ହେଲା ଫକୀର ମୋହନ ଜୟନ୍ତୀ ଉତ୍ସବ

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ୮୦ରୁ ଅଧିକ ଓଡ଼ିଆ କବି ପାଠ କଲେ ସ୍ବରଚିତ କବିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତିକାନନ ଠାରେ ଫକୀର ମୋହନ ଜୟନ୍ତୀ ଉତ୍ସବ  ଉଦଘାଟିତ ହୋଇଯାଇଛି। ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲେଶ୍ବର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଓ ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସଦର ବିଧାୟକ ତାଙ୍କର ଅଭିଭାଷଣରେ ଭାଷା ଗୋଟିଏ ଜାତିର ଆତ୍ମା। ହାରି ଯାଇଥିବା ମଣିଷର କବିତା ହେଉଛି ଏକ ଭରସାର ଡଙ୍ଗା ପରି। ଫକୀର ମୋହନଙ୍କ କବିତା କିପରି ତାଙ୍କ ଜୀବନକୁ ପ୍ରେରଣା ଦେଇ ଆସିଛି ତାହା ପ୍ରକାଶ କରିଥିଲେ। ବସ୍ତା ବିଧାୟିକା ସୁବାସିନୀ ଜେନା ଫକୀର ମୋହନ ସେନାପତି ‘ରେବତୀ’କୁ ଶିକ୍ଷା ଦେଇ ଯେଉଁ ନାରୀ ଶିକ୍ଷାର ପ୍ରଚଳନ କରିଥିଲେ ଆଜି ସମଗ୍ର ନାରୀ ସମାଜ ତାର ଭରପୁର ଫାଇଦା ପାଇ ଆସୁଛନ୍ତି। ତଥାପି ନାରୀ ସ୍ବାଧୀନତା ପାଇଁ ଫକୀର ମୋହନଙ୍କ ଆଶା ତଥାପି ଅଧୁରା ରହିଛି ବୋଲି ପ୍ରକାଶ କରିଥିଲେ। ପୌରାଧ୍ୟକ୍ଷା ସବିତା ସାହୁ ଫକୀର ମୋହନ ପୀଠର ଉନ୍ନତି ପାଇଁ ସେ ସଦା ଯତ୍ନଶୀଳ ଅଛନ୍ତି ଓ ଏ ଅନୁଷ୍ଠାନ ସମଗ୍ର ଓଡିଶା ପାଇଁ ବାଲେଶ୍ବରର ଗର୍ବ ବୋଲି ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ରୂପେ ସୁଦୂର ଖଡ଼ିଆଳରୁ ଆମନ୍ତ୍ରିତ ଶ୍ରୀକାନ୍ତ ଚାଟାର୍ଜୀ ସର୍ବଭାରତୀୟ କ୍ଷେତ୍ରରେ ଫକୀର ମୋହନଙ୍କ ଗଦ୍ୟସାହିତ୍ୟ ଭାଷା ସଙ୍କଟ ସମୟରେ ସେନାପତିଙ୍କ ସଙ୍କଟମୋଚନ ଭୂମିକା ଓଡ଼ିଆ ଜାତି ପାଇଁ ସଦା ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ। ଉକ୍ତ ସଭାରେ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥନ ରଖିଥିଲେ।ଯୁଗ୍ମ ସମ୍ପାଦକ ରାଜେଶ ଗିରି ମଞ୍ଚ ଆହ୍ୱାନ କରିଥିବା ବେଳେ ଅତିଥି ପରିଚୟ କରିଥିଲେ ପ୍ରାକ୍ତନ ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା।ଶେଷରେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିଆରୀ ଏହି କବିତା ମହାକୁମ୍ଭକୁ ଉଦଘାଟନ କରିଥିଲେ।ଡକ୍ଟର ରାଧାରଂଜନ ପଟ୍ଟନାୟକ ବରେଣ୍ୟ ଅତିଥି ରୂପେ କବିତାର ଭାବଧର୍ମ ସମ୍ପର୍କରେ ଆଲୋଚନା ରଖିଥିଲେ।ଉପସଭାପତି ଅଞ୍ଜଳି ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ କବି ରଂଜନ ବାଗ ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ। କବି ମଧୁସୂଦନ ମିଶ୍ର ଓ ଡକ୍ଟର ମମତା ସାହୁଙ୍କ ସଂଯୋଜନାରେ ବାଲେଶ୍ଵର ବାହାରର ୨୫ ନିମନ୍ତ୍ରିତ ଅତିଥି କବିଙ୍କ ସମେତ ୮୦ରୁ ଉର୍ଦ୍ଧ୍ବ କବି କବିତା ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.