ରାଷ୍ଟ୍ରପତିଙ୍କ ଆତିଥେୟତା ପାଇଁ ନିମନ୍ତ୍ରଣ ଆସିଛି ଭବାନୀପାଟଣାର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ପୌର ପାଳିକାରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ ରାଜେନ୍ଦ୍ର ପାତ୍ରଙ୍କୁ ସାଧରଣତନ୍ତ୍ର ଦିବସ-୨୦୨୬ କାର୍ଯ୍ୟକ୍ରମରେ ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭବନରେ ରହିଥିବା “ଆଟ ହୋମ” କାର୍ଯ୍ୟକ୍ରମରେ ଅତିଥି ହେବାପାଇଁ ନିମନ୍ତ୍ରଣ ପତ୍ର ଆସି ପହଞ୍ଚିଛି। ଭବାନୀପାଟଣା ଅର୍କାବାହାଲି ପଡ଼ାର ସ୍ୱିପର କଲୋନୀରେ ରହୁଥିବା ରଜେନ୍ଦ୍ରଙ୍କ ନିକଟରେ ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ପହଞ୍ଚିବା ପରେ ରାଜେନ୍ଦ୍ରଙ୍କ ସମେତ ତାଙ୍କ ପରିବାର ଖୁସିରେ ଫାଟି ପଡିଛନ୍ତି। ଖୁସିରେ ଗଦ ଗଦ ହୋଇ କୋହଭରା କଣ୍ଠରେ ରାଜେନ୍ଦ୍ର କହିଛନ୍ତି ମୋଭଳି ଜଣେ ସାଧାରଣ ସଫେଇ କର୍ମଚାରୀଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଆସିନ ମହାମହିମ ରାଷ୍ଟ୍ରପତି ମନେ ପକାଇ ସାଧରଣତନ୍ତ୍ର ଉତ୍ସବକୁ ଦିଲ୍ଲୀ ଡାକିଛନ୍ତି ଏହାଠୁ ବଳି ଆଉ ମୋ ପାଇଁ ସୌଭାଗ୍ୟର ବିଷୟ କଣ ଅଛି। ଦିଲ୍ଲୀ ଯାଇ ସାଧାରଣତନ୍ତ୍ର ଦିବସରେ ସାମିଲ ହେବି। ରାଷ୍ଟ୍ରପତୀ ମହୋଦୟାଙ୍କୁ ସାମନା ରେ ଭେଟିବି, ତାଙ୍କୁ ଶୁଭେଚ୍ଛା ଜଣାଇବି ଏହାଠୁଁ ବଳି ଖୁସିର ବିଷୟ କଣ ହୋଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଦୀର୍ଘ ଦିନ ଧରି ଭବାନୀପାଟଣା ପୌର ପାଳିକାରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ ରାଜେନ୍ଦ୍ରଙ୍କ ନିଷ୍ଠାପର କାର୍ଯ୍ୟ, ସମୟାନୁବର୍ତ୍ତିତା ଓ ସଚ୍ଚୋଟତା ପାଇଁ ଆଜି ତାଙ୍କୁ ଏଭଳି ସମ୍ମାନ ମିଳିଵାକୁ ଯାଉଛି ବୋଲି ଭବାନୀପାଟଣାରେ ଆଲୋଚନା ହେଉଥିବା ଜାଣିବାକୁ ମିଳିଛି। କେବଳ ଭବାନୀପାଟଣା କାହିଁକି ସାରା ଜିଲ୍ଲାରେ ଏହାକୁ ନେଇ ଲୋକେ ଖୁସି ଜାହିର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.