ଗୋରୀ ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଗୋକୁଲେଶ୍ବର କେରୋକୁଡା ମକର ମେଳା ମହୋତ୍ସବ କମିଟି ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କେସିଙ୍ଗା ବ୍ଲକର ଗୋକୁଲେଶ୍ବର ଓ କେରୋକୁଡା ମଧ୍ୟସ୍ଥ କୁମୁଡି ଡଙ୍ଗର ଠାରେ ଚାଲିଛି ମକରମେଳା। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୋକୁଲେଶ୍ବର କେରୋକୁଡା କୁମୁଡି ଡଙ୍ଗର ମକର ମେଳା ମହୋତ୍ସବ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସଭା ଅନୁଷ୍ଠିତ ହେଉଛି। ମେଳା ଓ ମହୋତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଏହି କାର୍ଯ୍ୟକ୍ରମ କ୍ରମରେ ମକର ମେଳା ମହୋତ୍ସବ କମିଟି ପକ୍ଷରୁ ଗୋକୁଲେଶ୍ବର ଗୋରୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପରିସରରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମକର ମେଳା ମହୋତ୍ସବ କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ। କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରର ଶୁଭ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର୍ ବିବେକାନନ୍ଦ ଶାଙ୍ଗା, ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁନୀତା ଶବର, ଗାଇଗାଁ ସରପଞ୍ଚ ଲମ୍ବୋବତୀ ଶବର, ଡ଼ ନାରାୟଣ ପଣ୍ଡା, ଉତ୍କେଲା ଫାଣ୍ଡି ଅଧିକାରୀ ଶତପଥୀ ବାବୁ, ଆଦିବାସୀ ନେତା ମୋହନ ଶବରଙ୍କ ସମେତ ଉପସଭାପତି ତାରିଣୀ ପ୍ରସାଦ ସିଂହ, ସମ୍ପାଦକ ତେଜରାଜ ଶବର, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ରକ୍ତ ଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ତେବେ ମକରମେଳା ଅବସରରେ ରକ୍ତଦାନ ପରି ଏକ ନିଆରା ପଦକ୍ଷେପ ହାତକୁ ନେଇ ସଫଳ କରିଥିବାରୁ ଆୟୋଜକ କମିଟିକୁ କଳାହାଣ୍ଡି ଜିଲ୍ଲାସାରା ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.