ସାବିତ୍ରୀ ଦେବୀ ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେଲା ସଡ଼କ ନିରାପତ୍ତା ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାବିତ୍ରୀ ଦେବୀ ଚ୍ୟାରିଟେବଲ ଟ୍ରଷ୍ଟ ଭୁବନେଶ୍ୱର, ପୂର୍ବାଶା ତାରିଣୀ ମା ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ସଙ୍ଗଠନ ଏବଂ ସିଟିଜେନ୍ସ ହ୍ୟୁମାନ୍ ରାଇଟ୍‌ସ କ୍ଲିନିକ୍, ଓଡ଼ିଶାର କର୍ମକର୍ତ୍ତାମାନେ କଟକର ତ୍ରିଶୂଳିଆ ଛକ ଠାରୁ ଗୋଡ଼ିସାହି ସି.ଆଇ.ଏସ୍‌.ଏଫ୍ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି ସଂଗଠନର ସ୍ୱେଚ୍ଛାସେବୀମାନେ ସଡ଼କ ନିରାପତ୍ତା ସଂପର୍କିତ ଫଳକମାନ ହାତରେ ଧରି ସଡ଼କର ନିୟମକୁ କଡ଼ାକଡ଼ି ମାନି ଚଳିବା ନିମନ୍ତେ ଯାନବାହାନ ବ୍ୟବହାରୀକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗାଡ଼ି ଚାଳକମାନେ ମଦ୍ୟପାନ କରି ଗାଡ଼ି ଚଳେଇବା, ଗାଡ଼ି ଚାଳନା ସମୟରେ ସିଟ୍ ବେଲଟ୍ ବ୍ୟବହାର ନକରିବା ଏବଂ ମୋବାଇଲ ଫୋନରେ କଥାବାର୍ତ୍ତା କରିବା ଦ୍ୱାରା ଦୁର୍ଘଟଣାର ଶରବ୍ୟ ହୋଇଥାନ୍ତି। ଏଥିରୁ କ୍ଷାନ୍ତ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତ୍ରିଶୂଳିଆ ବସ୍‌ଷ୍ଟାଣ୍ଠ ଠାରେ ଉଦ୍‌ଘାଟନ କରି ସି.ଏଚ୍‌.ଆର୍‌.ସି.ର ଅଧ୍ୟକ୍ଷ ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଯାନବାହାନ ଚଳାଇବାର ନିୟମ କାନୁନ୍ ବିଷୟରେ ଜନ ସାଧାରଣଙ୍କୁ ବୁଝାଇଥିଲେ। ଅନ୍ୟତମ ବକ୍ତା ପ୍ରଖ୍ୟାତ ଔପନ୍ୟାସିକା ପ୍ରଫେସର ରଶ୍ମୀ ରାଉଳ ସଡ଼କର ଦୂରାବସ୍ଥା ଏବଂ ସଡ଼କ ଉପରେ ମନଇଚ୍ଛା ହମ୍ପସ୍ ତିଆରି କରି ସେଥିରେ ଧଳାରଙ୍ଗ ନଦେବା ଏବଂ ଝିକିମିକି ଆଲୁଅ ବ୍ୟବସ୍ଥା ନକରିବା ଦ୍ୱାରା ସଡ଼କ ଦୁର୍ଘଟଣା ମଧ୍ୟ ବଢ଼ୁଛି ବୋଲି କହିଥିଲେ। ସରକାର ଏଥିପ୍ରତି ଧ୍ୟାନ ଦେଇ ସଡ଼କକୁ ଯଥାଯଥ ରକ୍ଷଣାବେକ୍ଷଣ କଲେ, ସଡ଼କ ଦୁର୍ଘଟଣା କମିଯିବ ବୋଲି ସେ ମତ ଦେଇଥିଲେ। ସଭାଶେଷରେ ପୂର୍ବାଶା ତାରିଣୀ ମାଆ ସଂଗଠନର ସମ୍ପାଦିକା ବନଶ୍ରୀ ମହାପାତ୍ର ଓ ଶଙ୍କର ଖଟୁଆଙ୍କ ନେତୃତ୍ୱରେ ଦୀପିକା ମହାନ୍ତି, ମଧୁସ୍ମିତା ଚୌଧୁରୀ, କାମିନୀ ରାଉତ, ସୁଲଗ୍ନା ସୁଚରିତା, ଇନ୍ଦୁରାଣୀ ପରିଡ଼ା, ସଞ୍ଚଳା ନାୟକ, ଅଜୟ କୁମାର ଦେ, ଶତୃଜିତ୍ ମହାପାତ୍ର, ଦାମୋଦର ବରାଳ, ରାକେଶ କୁମାର ମହାରଣା, ସୁଧାକର ନାୟକ, ବିକାଶ ସାହୁ, ସି.ଏଚ୍‌.ଆର.ସି. ନରସିଂହପୁର ଶାଖାର ସଭାପତି ମାନସ ରଂଜନ ଦାଶ ଓ ସମ୍ପାଦକ ପ୍ରକାଶ ଦାସ ଇତ୍ୟାଦି ସଡ଼କ ନିରାପତ୍ତା ସମ୍ପର୍କୀତ ପ୍ଲାକାର୍ଡ଼ ଧରି ତ୍ରିଶୂଳିଆ ଠାରୁ ଗୋଡ଼ିସାହି ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ପଦଯାତ୍ରାରେ ଯାଇ ଜନସାଧାରଣଙ୍କୁ ସଡ଼କ ବ୍ୟବହାର କରିବାର ଆଇନ କାନୁନ୍‌କୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ। ଯେହେତୁ ତ୍ରିଶୂଳିଆ ଛକ ଠାରୁ ବାଙ୍କି ପର୍ଯ୍ୟନ୍ତ ଥିବା ସଡ଼କରେ ଅନେକ ଖାଲଖମା ସୃଷ୍ଟି ହୋଇଛି ସି.ଏଚ୍‌.ଆର୍‌.ସି, ସାବିତ୍ରୀ ଦେବୀ ଚ୍ୟାରିଟେବୁଲ ଟ୍ରଷ୍ଟ ଏବଂ ପୂର୍ବାଶା ତାରିଣୀ ମାଆ ସଂଗଠନ ତରଫରୁ ରାଜ୍ୟ ସରକାରଙ୍କୁ ଏହି ସଡ଼କର ଯଥାଯଥ ରକ୍ଷଣାବେକ୍ଷଣ ପାଇଁ ସ୍ମାରକପତ୍ର ଦିଆଯିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.