ଗିଗିନା ମଣ୍ଡିରେ ଧାନ ଉଠିବାରେ ବିଳମ୍ବ, ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ନର୍ଲା ବ୍ଲକ୍ ପଲମ ପାକ୍ସ ଅନ୍ତର୍ଗତ ଗିଗିନା ଉପମଣ୍ଡିରେ ଧାନ ଉଠିବାରେ ବିଳମ୍ବ, ଟୋକନ୍ ଲାପ୍ସ ହେବା ଆଶଙ୍କା ଓ କଟନିଛଟନି ସମସ୍ୟାକୁ ନେଇ ଶନିବାର ଅପରାହ୍ଣରେ ନର୍ଲା ଭାୟା ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଗିଗିନା ଗ୍ରାମଠାରେ ଚାଷୀମାନେ ରାସ୍ତାରୋକ କରିଥିଲେ। କୃଷକ ନେତା ଦୁର୍ଯ୍ୟୋଧନ କୁମାରଙ୍କ ନେତୃତ୍ୱରେ ସ୍ଥାନୀୟ ଚାଷୀମାନେ ମୁଖ୍ୟରାସ୍ତା ଉପରେ ଧାନବସ୍ତା ପକାଇ ରାସ୍ତାରୋକ କରିଥିଲେ। କୃଷକ ନେତା ଦୁର୍ଯୋଧନ କୁମାରଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କେହି ଚାଷୀଙ୍କ ଗୁହାରି ଶୁଣୁ ନାହାନ୍ତି। ଅନ୍ୟପକ୍ଷରେ, ସମସ୍ତେ କଳାହାଣ୍ଡି ଉତ୍ସବ ‘ଘୁମୁରା’ରେ ମଉଜ କରୁଛନ୍ତି। ଏଣୁ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଫଳରେ ଘଣ୍ଟାଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଯାନବାହନ ଅଟକି ରହିଥିଲା। ରାସ୍ତା ଅବରୋଧ ସମ୍ପର୍କରେ ଖବର ପାଇ କେସିଙ୍ଗା ଆଦର୍ଶ ଥାନା ଓ ପଲମ ଫାଣ୍ଡିରୁ ପୁଲିସ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିଲେ। କିଛି ସମୟ ପରେ ରୁପ୍ରା ଆର୍‌ଆଇ ନୀହାରିକା ଦୋରା ମଧ୍ୟ ପହଞ୍ଚି ବୁଝାସୁଝା କରିଥିଲେ। ତଥାପି ଚାଷୀମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ପହଞ୍ଚି ଚାଷୀମାନଙ୍କ ଦାବି ମୁତାବକ ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହାପରେ ରାସ୍ତାରୋକ ସନ୍ଧ୍ୟା ୬ଟାରେ ପ୍ରତ୍ୟାହୃତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.