ଲାଞ୍ଜିଗଡ଼ ସରକାରୀ ଏସଏସଡି ବିଦ୍ୟାଳୟରେ ରାତିଅଧିଆ ଚାଉଳ ଚୋରା ଚାଲାଣ; ମାଡ଼ି ବସିଲା ପୋଲିସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଏଇ ନିକଟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ପିଏ ଆଇଟିଡିଏ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପାଠପଢ଼ା ସହିତ ସେଠାକାର ବ୍ୟବସ୍ଥାର ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଅନ୍ୟ କର୍ମଚାରୀଙ୍କ ଦାୟିତ୍ୱ, କର୍ତ୍ତବ୍ୟ ପରାଣୟତା ଓ ସାଧୁତାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ତେବେ ଉନ୍ନତମାନର ଶିକ୍ଷା ଓ ବ୍ୟବସ୍ଥା ତଥା ଶିକ୍ଷକ ଓ କର୍ମଚାରୀଙ୍କ ଗୁଣଗାନ କରିବାର ସପ୍ତାହେ ନବିତୁଣୁ ନିଜର ଅସଲ ସ୍ୱରୂପ ଦେଖେଇ ଦେଇଛନ୍ତି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିଲା ଭଳିଆ ଘୃଣ୍ୟ କାମ କରିବାକୁ ପଛେଇନାହାନ୍ତି। ଗରିବ, ଆଦିବାସୀ ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଖାଇବା ବାବଦକୁ ଆସିଥିବା ଚାଉଳରୁ ପ୍ରାୟ ୨୦ କ୍ଵିଣ୍ଟାଲ ଚାଉଳ ରାତିଅଧିଆ ବିକିବାକୁ ପ୍ରୟାସ କରି ହଟହଟା ହୋଇଛନ୍ତି। ରାତି ଅଧରେ ସ୍କୁଲ ପାଚେରୀ ଡିଆଁଇ ଚାଉଳ ବସ୍ତା ପାର କରୁଥିବାବେଳେ ପେଟ୍ରୋଲିଂ କରୁଥିବା ପୁଲିସ ନଜରରେ ପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଛି। ମୋବାଇଲରୁ ମୋବାଇଲକୁ ଚାଉଳ ଚୋରି ସମୟର ଭିଡିଓ ଘୁରି ବୁଲୁଥିବାବେଳେ ଘଟଣାଟିକୁ ଚାପିଦେବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ। ଏହି ବିଦ୍ୟାଳୟର ପ୍ରାୟ ୨୦ କ୍ୱିଣ୍ଟାଲ ଚାଉଳ ଶନିବାର ବିଳମ୍ବିତ ରାତିରେ ସ୍କୁଲ ପାଚେରୀ ଡିଆଇଁ ପାର କରୁଥିବାବେଳେ ଲାଞ୍ଜିଗଡ଼ ପୁଲିସର ପେଟ୍ରୋଲିଂ ଟିମର ନଜରରେ ପଡିଥିଲା। ପୁଲିସ ସହିତ ସ୍ଥାନୀୟ ଲୋକେ ହଠାତ ଜମା ହୋଇଯିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜେ ଉପସ୍ଥିତ ରହି ଏହା କରାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ତେବେ ପୁଲିସ ଓ ଲୋକଙ୍କ ଭିଡ଼ ଦେଖି ସେ ଖସି ଯାଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଧରିଥିଲା ପେଟ୍ରୋଲିଂ ଟିମ। ରାତିଅଧରେ ସ୍କୁଲ ବାହାରକୁ ସନ୍ଦିଗ୍ଧ ଭାବେ ପାଚେରୀ ଡିଆଇଁ ଚାଉଳ ପାର କରୁଥିବା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଏହା ଚୋରି ବୋଲି ସ୍ପଷ୍ଟ ହୋଇଥିଲା। ତେବେ ପୁଲିସ ଚୋରି ହେଉଥିବା ଚାଉଳକୁ ଜବତ କରିବା ବଦଳରେ ସେଇ ସ୍କୁଲ ପରିସରରେ ଜିମା ଦେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଲେଇକୁ ମାଛ ଜଗିବା ଦାୟିତ୍ୱ ଦେବା ପୁଲିସର ଭୂମିକାକୁ ସନ୍ଦେହ ଘେରରେ ଆଣି ଥୋଇଛି। ଅପରପକ୍ଷରେ ବିଭିନ୍ନ ବିବାଦ ସତ୍ୱେ ଦୀର୍ଘ ବର୍ଷ ହେଲା ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଭୂମିକା ମଧ୍ୟ ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଗରିବ ନିରୀହ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପେଟକୁ ଲାତ ମାରି ସେମାନଙ୍କ ମୁହଁର ଦାନାକୁ ଚୋରି କରି ଭଦ୍ରମୁଖା ପିନ୍ଧିଥିବା ଶିକ୍ଷକ ଓ କର୍ମଚାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥବ ତାଣ୍ଡିଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ ତାଙ୍କ ଫୋନ ସ୍ବିଚଅଫ ରହିଛି। ଏ ସମ୍ପର୍କରେ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସୂଚନା ମିଳିଛି, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ହେଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.