ଓଡ଼ିଆ ବାର୍ତ୍ତା/ ମୁରିବାହାଲ/ କଣ୍ଟାବାଞ୍ଜି (ଅମରେଶ ମାଝୀ): ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ରେଳ ସହର କଣ୍ଟାବାଞ୍ଜିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସାଂସଦ ଶ୍ରୀ ନିରଞ୍ଜନ ବିଶି କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଅନୁରୋଧ କରିଛନ୍ତି। ପ୍ରେସ କ୍ଲବ କଣ୍ଟାବାଞ୍ଜିଙ୍କ ପକ୍ଷରୁ ଏନେଇ ସାଂସଦ ନିରଞ୍ଜନ ବିଶି ଙ୍କୁ ଦାବିପତ୍ର ଦିଆଯାଇଥିଲା, ଏ ନେଇ ସାଂସଦ ନିରଞ୍ଜନ ବିଶି ନିଜର ସମର୍ଥନ ଜଣାଇଛନ୍ତି ଓ ଦାବିକୁ ନେଇ ରେଳମନ୍ତ୍ରୀ ଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କଣ୍ଟାବାଞ୍ଜି ପୂର୍ବତଟ ରେଳପଥ ଅଧୀନରେ ଥିବା ଏକ ରଣନୀତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ ରେଳ କେନ୍ଦ୍ର, ଯେଉଁଠାରେ ଅନେକ ରେଳ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଏତେ ଗୁରୁତ୍ୱ ସତ୍ୱେ ମଧ୍ୟ କଣ୍ଟାବାଞ୍ଜି କିମ୍ବା ଏହାର ପରିସରରେ କୌଣସି କେନ୍ଦ୍ରୀୟ ବିଦ୍ୟାଳୟ ନଥିବାରୁ ବିଶେଷକରି ବଦଳୀଯୋଗ୍ୟ ସେବାରେ ଥିବା ରେଳ କର୍ମଚାରୀଙ୍କ ସନ୍ତାନମାନେ ଗୁଣବତ୍ତାମୂଳକ CBSE ଆଧାରିତ ଶିକ୍ଷା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହ ଆଖ ପାଖ ଗ୍ରାମୀଣ ଓ ସହରୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ସସ୍ତା ଓ ଉତ୍କୃଷ୍ଟ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସାଂସଦ ଶ୍ରୀ ବିଶି ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କଣ୍ଟାବାଞ୍ଜିରେ ଭାରତୀୟ ରେଳର ମାଲିକାନାରେ ପର୍ଯ୍ୟାପ୍ତ ଜମି ଉପଲବ୍ଧ ଅଛି, ଯାହା ଫଳରେ ଜମି ଅଧିଗ୍ରହଣ ସମ୍ପର୍କୀୟ ଜଟିଳତା ବିନା ମୂଲ୍ୟ ସ୍ଥାପନ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇପାରିବ। ଏହା ସହ ଏଠାରେ ପ୍ରସ୍ତାବିତ Wagon POH (Periodic Overhauling) ପ୍ରକଳ୍ପ ଆରମ୍ଭ ହେଲେ ରେଳ କର୍ମଚାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ, ଯାହା ଏକ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେବ। ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ— ବଦଳୀ ଯୋଗ୍ୟ ରେଳ କର୍ମଚାରୀଙ୍କ ସନ୍ତାନଙ୍କ ପାଇଁ ଅବିରତ ଓ ସୁଚାରୁ ଶିକ୍ଷା ସୁନିଶ୍ଚିତ ହେବ। ପଛୁଆ ଓ ଆକାଙ୍କ୍ଷୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣବତ୍ତାମୂଳକ ଶିକ୍ଷାର ଅବସର ପାଇବେ। ଏହି ରଣନୀତିଗତ ରେଳ କେନ୍ଦ୍ରର ସାମାଜିକ ପାଇପାରିକ ଢାଞ୍ଚା ଶକ୍ତିଶାଳୀ ହେବ। ପଶ୍ଚିମ ଓଡିଶାର ମାନବ ସମ୍ପଦ ବିକାଶକୁ ଗତି ମିଳିବ। ସାଂସଦ ଶ୍ରୀ ନିରଞ୍ଜନ ବିଶି ତାଙ୍କ ପତ୍ରରେ କେନ୍ଦ୍ର ସରକାରଙ୍କ “ସବକା ସାଥ, ସବକା ବିକାସ” ଦୃଷ୍ଟିକୋଣ ସହ ଏହି ପ୍ରସ୍ତାବ ସମନ୍ୱୟ ରଖୁଥିବା ଉଲ୍ଲେଖ କରି ରେଳମନ୍ତ୍ରୀଙ୍କୁ ଶୀଘ୍ର ସ୍ୱୀକୃତି ଓ ଅନୁମୋଦନ ପାଇଁ ଅନୁରୋଧ କରିଛନ୍ତି। ସାର୍ବଜନୀନ ହିତ ଓ ଅଞ୍ଚଳୀୟ ଉନ୍ନତି ଦୃଷ୍ଟିରୁ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଛନ୍ତି ଏବଂ ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପରେ ସକାରାତ୍ମକ ନିଷ୍ପତ୍ତି ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।




