ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଭାଷାପକ୍ଷ ଓ କୁଟୀର ବହିମେଳାର ଷଷ୍ଠ ଦିବସରେ ଗାଳ୍ପିକ ନିବାରଣ ଜେନା ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଭବ୍ୟ ସାରସ୍ୱତ ସନ୍ଧ୍ୟାରେ ଆଲୋଚକ ଭାବେ ଯୋଗ ଦେଇ ଗାଳ୍ପିକା ସ୍ମୃତି ଦାସ କହିଲେ ଯେ ଗାଳ୍ପିକ ଶ୍ରୀ ଜେନା ଦୀର୍ଘ ପାଞ୍ଚ ଦଶନ୍ଧି ସାରସ୍ୱତ ଯାତ୍ରାକାଳରେ ଯେଉଁ ଶବ୍ଦର ସୌଧ ନିର୍ମାଣ କରିଛନ୍ତି ତାହା କାଳକାଳକୁ ଅମଳିନ ଭାବରେ ଓଡ଼ିଆ ଗଳ୍ପସାହିତ୍ୟର ଗୌରବର ବାନା ଉଡ଼ାଉଥିବ।
ଯୁବ ଗବେଷକ ତ୍ରିନାଥ ନନ୍ଦୀ ଶ୍ରୀ ଜେନାଙ୍କ ସମଗ୍ର କୃତି ଉପରେ ବିହଙ୍ଗାବଲକୋନ କରି ତାଙ୍କ ଗଳ୍ପମାନଙ୍କର ପୃଷ୍ଠଭୂମି ଓ ଚରିତ୍ରମାନେ ସତ୍ୟର ଖୁବ୍ ନିକଟବର୍ତ୍ତୀ ବୋଲି ଦର୍ଶାଇଥିଲେ। ଅନ୍ୟତମ ଯୁବ ଆଲୋଚକ ରିତେଶ ଦାଶ କହିଲେ ଯେ ଗାଳ୍ପିକଙ୍କ ଆଚରଣ ଓ ଉଚ୍ଚାରଣ ଯେତେ ଶାଳୀନ ଓ କୋମଳ, ସେତେ ଉଚ୍ଚାଟ ଓ ଗଭୀର ତାଙ୍କ ଗଳ୍ପପୁରୁଷର ସ୍ୱର। ଗଳ୍ପର ଆତ୍ମିକ ବୈଭବ ସହ ନିଜ ଆତ୍ମାର ସଂଯୋଗ ସେତୁ ତିଆରି କରି ନିଜ ଗଳ୍ପପୁରୁଷକୁ କରିଛନ୍ତି ଋଦ୍ଧିମନ୍ତ।
ଗାଳ୍ପିକ ଶ୍ରୀ ନିବାରଣ ଜେନା ନିଜ ବକ୍ତବ୍ୟରେ କହିଲେ ଯେ ତାଙ୍କର ପ୍ରତ୍ୟେକ ଗଳ୍ପ ଓ ଉପନ୍ୟାସର ପ୍ଲଟଗୁଡ଼ିକ ସତ୍ୟର ଅତି ନିକଟତର। ଜୀବନରେ ନିତିପ୍ରତି ତାଙ୍କ ସମ୍ମୁଖରେ ଆତଯାତ କିଛି ମଣିଷର ମନସ୍ତତ୍ତ୍ୱରୁ କାହାଣୀ ସାଉଁଟି ଆଣି ସେ ଗଳ୍ପ ରଚନା କରନ୍ତି।
ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିବାକୁ ଯାଇ କହିଲେ ଯେ ଶ୍ରୀ ଜେନାଙ୍କ ଗଳ୍ପଗୁଡ଼ିକ ବୋହି ଯାଉଥିବା ନଦୀର ଜଳ ପରି ସ୍ୱଚ୍ଛ ଓ ନିର୍ମଳ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ତଥା ଗାଳ୍ପିକ ଶ୍ରୀ ଜେନାଙ୍କ ଉପରେ ଆଧାରିତ ଗୋଟିଏ କବିତାକୁ କଲ୍ୟାଣୀ ନନ୍ଦ ଗାନ କରିଥିଲେ। ଯୁଗ୍ମ ସମ୍ପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଦୀପକ ବୋଷ ଗାଳ୍ପିକଙ୍କ ଗୋଟିଏ ଗଳ୍ପ ପାଠ କରିଥିବା ବେଳେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।




