ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଓୟୁଏଟି ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ସହଯୋଗରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଓ ଷ୍ଟେମ୍ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ। ସମ୍ମାନିତ ଅତିଥି ଭାବେ ନିପୁଣ ଓଡ଼ିଶା ମୁଖ୍ୟ ସଂଯୋଜକ ଅମରଜିତ୍ ଜେନା, ଭବାନୀପାଟଣା ଓୟୁଏଟିର ଡିନ୍ ପ୍ରଫେସର ସନ୍ଦୀପ୍ତ ନାୟକ, ଓଡ଼ିଶା ରାଇଜିଂ ଫାଉଣ୍ଡେସନର ନିର୍ଦ୍ଦେଶକ ସିଏଚ ଐଶ୍ୟ ପ୍ରକାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ ଓ ତପିମଣି ଜାନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ନୀଳାଞ୍ଚଳ ପାନଙ୍କ ନିର୍ଦ୍ଦେଶନାରେ ତଳବେଲଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥିମାନେ ବାର୍ଷିକ ବିଜ୍ଞାନ ପତ୍ରିକା ‘ବିଜ୍ଞାନ ମାଣିକ୍ୟ’ ଉନ୍ମୋଚନ କରିବା ସହ ଷ୍ଟେମ୍ ପ୍ରଦର୍ଶନୀ-୨୦୨୬ ଉଦ୍ଘାଟନ କରିଥିଲେ। ସଭା ପରିଚାଳନା କରିଥିଲେ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ଓ ଶିକ୍ଷୟିତ୍ରୀ ଗାୟତ୍ରୀ କରୁଆଁ। ଅତିଥି ଓ ବିଚାରକମାନେ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ଶିଶୁ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ଦୀପ୍ତିମୟୀ ସିଂହଙ୍କ ନିର୍ଦ୍ଦେଶନାରେ ଥୁଆପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ବିଜ୍ଞାନ ନାଟକ ‘ଅଗ୍ନିପୁତ୍ରି’ ପରିବେଷଣ କରିଥିଲେ। ଶିକ୍ଷକମାନଙ୍କ ସହ ମୁକ୍ତ ଆଲୋଚନା ଅଧିବେଶନକୁ ଶୁଭଲକ୍ଷ୍ମୀ ଦାଶ ଓ ଅଙ୍କିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବରଗଡ଼ ଜିଲ୍ଲାର ଶିକ୍ଷକ ଧର୍ମରାଜ ପ୍ରଧାନ ଓ ଟଙ୍କଧର ପ୍ରଧାନ, ନୂଆପଡ଼ା ଜିଲ୍ଲାର ଶିକ୍ଷକ ଅଶୋକ କୁମାର ବେହେରା ଓ କଳାହାଣ୍ଡିର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଅଂଶଗ୍ରହଣ କରିଥିଲେ। ଧର୍ମରାଜ ପ୍ରଧାନ ଓ ସମୀର କୁମାର ବେହେରା ଓରିଗାମି କର୍ମଶାଳା ପରିଚାଳନା କରିଥିଲେ। ଶିକ୍ଷକ ତେଜେଶ୍ୱର ସାହୁ ଓ ଶିକ୍ଷୟିତ୍ରୀ ଲୋଟସ୍ ତ୍ରିପାଠୀଙ୍କ ପରିଚାଳନାରେ ଜାତୀୟ ସ୍ତରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀ ଶୁଭଲକ୍ଷ୍ମୀ ସାହୁ ଓ ଆଶୁତୋଷ ମେହେର ନିଜର ଅନୁଭୂତି ଉପସ୍ଥାପନ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀଙ୍କ ଦ୍ୱାରା ଜିଲ୍ଲା ବିଜ୍ଞାନ ଫୋରମ୍ ଗଠନ କରାଯାଇଥିଲା। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଓଡ଼ିଶା ରାଇଜିଂ ଫାଉଣ୍ଡେସନର ନିର୍ଦ୍ଦେଶକ ସିଏଚ ଐଶ୍ୟ ପ୍ରକାଶ, କାର୍ଯ୍ୟକ୍ରମ ମୁଖ୍ୟ ସାଗରିକା ରୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ନିହାରିକା ଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ଶ୍ୱେତାଲିନ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।




