ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଅଧୀନରେ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୬ ରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚମ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ତିନି ମାସର ବ୍ୟବଧାନରେ ଆଗାମୀ ଷଷ୍ଠ ସେମିଷ୍ଟର ପରୀକ୍ଷା ୨୮ ମାର୍ଚ୍ଚରୁ ଆରମ୍ଭ ହେବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପର୍ଯ୍ୟନ୍ତ ଅନେକ ବିଭାଗର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହୋଇନଥିବାରୁ ଛାତ୍ରଛାତ୍ରୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ଜିଲ୍ଲା ଛାତ୍ର ବିଜେଡି ସଭାପତିଙ୍କୁ ଅବଗତ କରିଥିଲେ।ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କିଛି ସମୟ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଦାବୀ କରାଯାଇଛି।




