୫ କ୍ଵିଣ୍ଟାଲ ଖଇର କାଠ ସହ ୪୦୭ ଭ୍ୟାନ୍ ଜବତ: ଡ୍ରାଇଭର ଗିରଫ, ଅନ୍ୟ ଜଣେ ଫେରାର

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ବନ ବିଭାଗ ପକ୍ଷରୁ ଚଢାଉ କରି ଏକ ୪୦୭ ଟାଟା ଭ୍ୟାନରେ ବେଆଇନ୍ ଚୋରାଚାଲାଣ ହେଉଥିବା ୫ କ୍ଵିଣ୍ଟାଲ ଖଇର କାଠକୁ ଜବତ କରାଯାଇଛି।ଏହି ଚୋରାଚାଲାଣରେ ସଂପୃକ୍ତ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।ଏହି ବେଆଇନ ଖଇର କାଠ ଚୋରା ଚାଲାଣ ରେକେଟର ମୁଖ୍ୟ କାର୍ପଟଦାର ନିଜେ ସାମ୍ନାକୁ ନ ଆସି ପ୍ରଚ୍ଛଦରେ ନିଜର କଳା କାରନାମା କରୁଥିବା ଅଭିଯୋଗ ହୋଇଛି।ଗିରଫ ଡ୍ରାଇଭର ଜଣଙ୍କ ତୁଷୁରା ଥାନା ରତାଖଣ୍ଡି ଗ୍ରାମର ମୂଳ ନିବାସୀ ତଥା ଏବେ ବରଗଡ଼ ସହରରେ ରହୁଥିବା ଫଟକାରୀ ଦୀପଙ୍କ ପୁଅ ମନୋଜ ଦୀପ(୨୪)ହୋଇଥିବା ବେଳେ ସେହି ଗାଡ଼ିରେ ବସି ଯାଉଥିବା ଜଣେ ସହଯୋଗୀ ଚୋରାଚାଲାଣକାରୀ ବନବିଭାଗକୁ ଦେଖି ଫେରାର ହୋଇଯାଇଥିବା ଜଣାପଡିଛି।ଗୁରୁବାର ରାତି ୩.୩୦ରେ ବାରବନ୍ଧ ରୁ ବାବେଜୁରୀ ରାସ୍ତାର ବାରବନ୍ଧ ଗାଁ ନିକଟରେ ଏକ ୪୦୭ ଭ୍ୟାନ (ଓଡ଼ି ୦୩ଏନ ୧୬୮୮)ରେ ଚୋରା ଖଇର କାଠ ବରଗଡ଼ ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନ ବିଭାଗ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା।ରାତିରେ ବାରବନ୍ଧ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ମୁରିବାହାଲ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ସନ୍ଦେହରେ ସେହି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ।ଭିତରେ ୫କ୍ଵିଣ୍ଟାଲ ଖଇର କାଠ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା।ବନବିଭାଗ ଗାଡ଼ିକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲା।ଯାଞ୍ଚ ପରେ ସେଥିରୁ ମୂଲ୍ୟବାନ ୫କ୍ଵିଣ୍ଟାଲ ଖଇର କାଠ ବାହାରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏହି ପେଟ୍ରୋଲିଂ ଟିମରେ ମୁରିବାହାଲର ଭାରପ୍ରାପ୍ତ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ନେତୃତ୍ବରେ ମୁରିବାହାଲ ସେକ୍ସନ ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତି,ଫରେଷ୍ଟ ଗାର୍ଡ ଅଜିତ ବେହେରା,ନିଲୁ ବରିହା,ବରୁଣ ସାହୁ ଓ ଶିବ ନାଗଙ୍କ ସହ ସେକ୍ସନର ସମସ୍ତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ।ଏହି ରେଞ୍ଜ ଅଞ୍ଚଳରୁ ପ୍ରତ୍ୟେହ ଖଇର,କେନ୍ଦୁ,ଶାଗୁଆନ ଭଳି ମୂଲ୍ୟବାନ କାଠ ଚୋରାଚାଲାଣ ଦୀର୍ଘଦିନରୁ ବାହାର ଅଞ୍ଚଳକୁ ଚାଲିଥିବା ବେଳେ ସବୁବେଳେ କେବଳ ଗାଡ଼ିର ଡ଼୍ରାଇଭର ଧରା ପଡ଼ୁଥିବା ବେଳେ ମୁଖ୍ୟ କାର୍ପଟଦାର ତଥା ଚୋରା ଚାଲାଣକାରୀମାନେ ଫେରାର ହୋଇଯାଉଥିବା ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜବତ ଗାଡ଼ିଟି ବରଗଡ଼ ଅଞ୍ଚଳର ହୋଇଥିବାରୁ ଏହି ରେଞ୍ଜ ଅଞ୍ଚଳର ଚୋରା କାଠ ବେପାରୀମାନଙ୍କ ସହ ବାହାର ଅଞ୍ଚଳର ବେଆଇନ ଚୋରାଚାଲାଣକାରୀଙ୍କ ସୁସମ୍ପର୍କ ରହିଥିବାରୁ ଚୋରା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ରେଞ୍ଜ କେଶ ନ ୩୪୫/୨୫-୨୬ରେ ମାମଲା ରୁଜ୍ଜୁ କରାଯାଇ ଗିରଫ ଡ୍ରାଇଭର ମନୋଜ ଦୀପଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଭାରପ୍ରାପ୍ତ ରେଞ୍ଜର ପଦ୍ମନାଭ କୁମ୍ଭାର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.