ଐଶ୍ୱର୍ଯ୍ୟା ପ୍ରଧାନଙ୍କ କବିତା ସଂକଳନ ‘ଶେଷ ଭୋଗ’ ଲୋକାର୍ପିତ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ କଳାହାଣ୍ଡି ଲେଖିକା ସଂଘର ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ବିଶିଷ୍ଟ ସମାଜସେବୀ ଜୟନ୍ତ କୁମାର ବେହେରା ଉଦ୍ଘାଟକ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା, ବିଶିଷ୍ଟ ଶିକ୍ଷାବିତ୍ ସୁଦର୍ଶନ ଦାଶ ଓ ପୁଷ୍ପମିତ୍ରା କାନୁନଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ସରସ୍ଵତୀ ଶିଶୁ ମନ୍ଦିର ବ୍ରଜବିହାରର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଂଘର ସଭାପତି ସୁଦେଷ୍ଣା ପଣ୍ଡା ଅଧ୍ୟକ୍ଷତା କରିବା ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଦସ୍ୟା ସଂଘମିତ୍ରା କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିବରଣୀ ପାଠ କରିଥିଲେ ସମ୍ପାଦିକା କଳ୍ପନା ରଥ। ଅତିଥିମାନେ ସଂଘର ମୁଖପତ୍ର ‘କଳ୍ପିତା’ ଲୋକାର୍ପଣ କରିଥିଲେ। ଏହି ଅବସରରେ ଡ.ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ଚାରୁଲତା ମହାନ୍ତି ପ୍ରଦତ୍ତ ଶ୍ରେଷ୍ଠ ସାହିତ୍ୟିକା ସମ୍ମାନ, କସ୍ତୁରୀ ଜାଲଙ୍କୁ କଳ୍ପନା ରଥ ପ୍ରଦତ୍ତ ସ୍ଵର୍ଣ୍ଣଲତା ରଥ ସ୍ମୃତି ମାତୃଶ୍ରୀ ସମ୍ମାନ, ଦୀପ୍ତି ମୁଣ୍ଡଙ୍କୁ ସ୍ନେହଲତା ବେହେରା ପ୍ରଦତ୍ତ ଯୁବ କବୟିତ୍ରୀ ସମ୍ମାନ, ତ୍ରିବେଣୀ ବିଷୋୟୀଙ୍କୁ ସଂଘମିତ୍ରା କାନୁନଗୋ ପ୍ରଦତ୍ତ ବୈଦ୍ୟନାଥ ସ୍ମୃତି ସମାଜସେବୀ ସମ୍ମାନ ଓ ସୁନୀତା ଦାସଙ୍କୁ ସବିତା ଦାସ ପ୍ରଦତ୍ତ ଶାନ୍ତିପ୍ରିୟା ଦାସ ସ୍ମୃତି ସୁଗୃହିଣୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ୧୦ମ ଶ୍ରେଣୀରେ ଜିଲ୍ଲାର ଶ୍ରେଷ୍ଠ ଛାତ୍ରୀ ଶ୍ରେୟାଂଶୀ ସାହୁଙ୍କୁ ଲୀନା ଦାସ ପ୍ରଦତ୍ତ ବିଳାସିନୀ ସ୍ମୃତି ସମ୍ମାନ, ଜିଲ୍ଲାର ଶ୍ରେଷ୍ଠ ଛାତ୍ରୀ କ୍ରୀଡ଼ାବିତ୍ ହସ୍ତରି ଶବରଙ୍କୁ ଗିରିଶ ବେହେରା ପ୍ରଦତ୍ତ ପ୍ରତିମା ବେହେରା ସ୍ମୃତି ସମ୍ମାନ, ‘କଳ୍ପିତା’ର ପ୍ରଚ୍ଛଦପଟ ଶିଳ୍ପୀ ସ୍ମିତା ଚୌଧୁରୀଙ୍କୁ ପ୍ରୀତିସୁଧା ମିଶ୍ର ପ୍ରଦତ୍ତ ଶଶିକଳା ଶତପଥୀ ସ୍ମୃତି ସମ୍ମାନ ଏବଂ ପୋଲ୍ ଭଲ୍ଟ ଓ ହାଇଜମ୍ପରେ ରୌପ୍ୟ ପଦକ ପ୍ରାପ୍ତ ମିକି କହଁରଙ୍କୁ କଳାହାଣ୍ଡି ଲେଖିକା ସଂଘ ପ୍ରଦତ୍ତ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ନିବେଦିତା ମହାନ୍ତି, ନୂପୁର ପଟ୍ଟନାୟକ, ସୁଚିସ୍ମିତା ରଥ, ସଂଯୁକ୍ତା ମୁଣ୍ଡ, ସନ୍ଧ୍ୟାରାଣୀ ବେହେରା, ସୌଦାମିନୀ ଭୋଇ, ସସ୍ମିତା ମହାପାତ୍ର, ରଶ୍ମିରାଣୀ ରଥ ଓ ତପସ୍ବିନୀ ପଣ୍ଡା ମାନପତ୍ର ପାଠ କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନର ସଭାପତି, ସମ୍ପାଦକ ତଥା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲେଖିକା ସ୍ଵର୍ଣ୍ଣକାନ୍ତି ବୈକାର, ମୀନତି କୁମାରୀ ପ୍ରଧାନ ଓ ବନଶ୍ରୀ ଦାଶ ମଞ୍ଚ ପରିଚାଳନା କରିଥିଲେ।

ଦ୍ଵିତୀୟ ଅଧିବେଶନ ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା ଉତ୍ସବରେରେ ଯୁବକବି ଐଶ୍ୱର୍ଯ୍ୟା ପ୍ରଧାନଙ୍କ ଦ୍ଵିତୀୟ କବିତା ସଂକଳନ ‘ଶେଷ ଭୋଗ’ ଲୋକାର୍ପିତ ହୋଇଥିଲା। ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡ. ଅଜୟ କୁମାର ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ଡ.ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା, ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ପରମେଶ୍ଵର ମୁଣ୍ଡ ବିଶିଷ୍ଟ ଅତିଥି, ଶିକ୍ଷାବିତ୍ ସୁଶ୍ରୀ ସବିତା ପଟ୍ଟନାୟକ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ୟ ସତ୍ୟନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ। ସଂଘର ସଭାପତି ସୁଦେଷ୍ଣା ପଣ୍ଡା ଅଧ୍ୟକ୍ଷତା କରିବା ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଦସ୍ୟା ସବିତା ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁସ୍ତକର ଲେଖିକା ଐଶ୍ୱର୍ଯ୍ୟା ପ୍ରଧାନ ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ। ଏହି ଅବସରରେ ସୈନିକ ଅଭିଳାଷ ମହାନ୍ତିଙ୍କୁ କଳାହାଣ୍ଡି ଲେଖିକା ସଂଘ ପ୍ରଦତ୍ତ, ଉଚ୍ଛବାନନ୍ଦ ମିଶ୍ରଙ୍କୁ ସବିତା ଶତପଥୀ ପ୍ରଦତ୍ତ, ଗଜେନ୍ଦ୍ର ଡାକୁଆଙ୍କୁ ସୁଷମା ମଞ୍ଜରୀ ମୁଣ୍ଡ ପ୍ରଦତ୍ତ, ନରେଶ ଚନ୍ଦ୍ର ପଣ୍ଡାଙ୍କୁ ସଂଯୁକ୍ତା ମୁଣ୍ଡ ପ୍ରଦତ୍ତ, ପ୍ରମୋଦ ପାଣିଗ୍ରାହୀଙ୍କୁ ତିଲକରାମ ନିଆଲ ପ୍ରଦତ୍ତ ବୀର ସୈନିକ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲେଖିକା, ଲେଖକ ଓ ସାହିତ୍ୟପ୍ରେମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦିକା କଳ୍ପନା ରଥ ମଞ୍ଚାସୀନ ଥିବା ବେଳେ ଲେଖିକା ବନଶ୍ରୀ ଦାଶ ଓ ସୁମତି ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ।




