ବାହାନଗା ଟ୍ରିପଲ ଟ୍ରେନ୍ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଅନୁଷ୍ଠିତ ହେଲା ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ୨୦୨୩ ମସିହା, ଜୁନ ୨ ତାରିଖରେ ବାହାନଗା ଠାରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନେଇ ସ୍ଥାନୀୟ ଏଡ଼ଲାଇଫ୍ ଫିଜିଅଥେରାପି ସେଣ୍ଟରରେ ଏକ ସମ୍ମିଳନୀ ସଭା ଆୟୋଜିତ ହୋଇଯାଇଛି। ବିଗତ ଏକ ସପ୍ତାହ ଧରି ଯୁବ ବିକାଶ ସ୍ୱେଚ୍ଛାସେବୀଙ୍କ ନେତୃତରେ ସୁଦୂର ମୁମ୍ବାଇସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ପ୍ରଫେସର ଜାକଲିନ୍ ଯୋସେଫ୍ ଓ ଅନ୍ୟ ଅଧିକାରୀ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଅନେକ ପରିବାରଙ୍କୁ ଭେଟିଥିଲେ। ଟ୍ରେନ ଦୁର୍ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣା ଜନିତ ଶାରୀରିକ, ମାନସିକ, ଆର୍ଥିକ ସମସ୍ୟା ଭିତରେ ଏବେବି ରହିଛନ୍ତି ସୋର ରେଳ ଦୁର୍ଘଟଣାକୁ ସାମ୍ନା କରିଥିବା କ୍ଷତିଗ୍ରସ୍ତ ପରିବାରର ଲୋକମାନେ। ଯେମିତି ଚାନ୍ଦିପୁରର ସୋଫିକ୍ ଶାହା ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ନ ପାଇବାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହାନ୍ତିଁ। ସେମିତି ଅଯୋଧ୍ୟା ଗ୍ରାମର କୁନା ମୁଖୀ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ବ୍ୟକ୍ତି ଗୋଟେ ଚାକିରି ପାଇବାର ହକଦାର ଥିଲେ ମଧ୍ୟ ଅସହାୟ ତାଙ୍କ ପତ୍ନୀ ଦମୟନ୍ତୀ ମୁଖୀ ଛୋଟ ପୁଅକୁ ଧରି ଜୀବନଜୀବିକା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହଉଛନ୍ତି। ଅନୁରୂପ ଭାବେ କୁହ୍ଲା ଗ୍ରାମର ପ୍ରୀତିରଞ୍ଜନ ପ୍ରମାଣିକ ଏବେବି ଆବଶ୍ୟକୀୟ ସରକାରୀ ସହଯୋଗ କେବଳ ଆର୍ଥିକ କ୍ଷତିପୂରଣ ଛାଡ଼ି ଦେଲେ ଅନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରାୟ ସମସ୍ତ କ୍ଷତିଗ୍ରସ୍ତ ପରିବାରମାନେ ଟ୍ରେନ ଦୁର୍ଘଟଣା ପରେ ସରକାରୀ ଓ ବେସରକାରୀ ସ୍ତରରେ ଘୋଷଣା କରାଯାଇଥିବା ସାହାଯ୍ୟ ସହଯୋଗ ପ୍ରତିଶୃତିକୁ ନେଇ ଝୁରୁଛନ୍ତି। ନିଜର ଦୁଃଖ କଥା ବଖାଣିବା ବେଳେ ଯନ୍ତ୍ରଣା ଜର୍ଜରିତ ହୋଇ ବଞ୍ଚିରହିବା ଠୁ ବରଂ ମରି ଯାଇଥିଲେ ଭଲ ହୋଇଥାନ୍ତା, ଘର ପରିବାର ଯେଉଁ ଆର୍ଥିକ ସହାୟତା ପାଇଥାନ୍ତେ ସେଇଟା ଶ୍ରେୟସ୍କର ବୋଲି କହିବା ବେଳେ ସୋଫିକ୍ ଶାହା ଭାଙ୍ଗି ପଡ଼ୁଥିଲେ । ତିନି ତିନିଟା ଝିଅ ଏବଂ ପରିବାର ସହ ସରକାରୀ ଜାଗାରେ ରହୁଥିବା ଛୋଟ ପାଲ ଛପର ଘରରୁ ଉଚ୍ଛେଦ ହେବାର ଭୟ ତାଙ୍କୁ ଆହୁରି ବିଚଳିତ କରିଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଯୁବ ବିକାଶର ନିର୍ଦ୍ଦେଶକ ଗୋବିନ୍ଦ ବଲ୍ଲଭ ଦଳାଇ କ୍ଷତିଗ୍ରସ୍ତ ପରିବାରକୁ ନେଇ ତାଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ଏକ ସଂଗଠନର ଆବଶ୍ୟକତା ଅଛି ବୋଲି କହିଥିଲେ। ଏଡ଼ଲାଇଫ୍ ଫିଜିଅଥେରାପି ସେଣ୍ଟରର ମୁଖ୍ୟ ଜ୍ୟୋତିର୍ମୟ ଚୌଧୁରୀ କହିଥିଲେ ଯେ ଅତି କମ୍ ଖର୍ଚ୍ଚରେ ସେ ଚିକିତ୍ସା କରିପାରିବେ। ପ୍ରଫେସର ଜାକଲିନ୍ ଯୋସେଫ୍ କହିଥିଲେ ଯେ ଏଭଳି ବିପର୍ଯ୍ୟୟ କ୍ଷତିଗ୍ରସ୍ତ ପରିବାରକୁ ମାନସିକ ଯନ୍ତ୍ରଣାରୁ ଉପଶମ ପାଇଁ ଏକ ଲମ୍ବା ସମୟ ଲାଗିଥାଏ। ସେଥିପାଇଁ ସରକାରୀ ବୋସରକାରୀ ସ୍ତରରେ ଏକ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.