“ମେଣ୍ଢା ଲଢେଇ”ଦେଖିବାକୁ ପ୍ରବଳ ଭିଡ଼
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଁ ଡୋକରୀ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଝୁମର ନୃତ୍ୟରେ ଝୁମିଲେ ଦର୍ଶକ, ଏବଂ ଦିନବେଳେ ଅନୁଷ୍ଠିତ ମେଣ୍ଢା ଲଢେଇ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଟାପରେଙ୍ଗ ଗଡର ଇଷ୍ଟ ଦେବୀ ମା ଡୋକରୀଙ୍କ କିମ୍ବଦନ୍ତୀ ଓ ଗାଥା ବହନ କରୁଥିବା ଏହି ଉତ୍ସବ ଆମକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଏକ ମହନୀୟ ଉଦ୍ୟମ ବୋଲି ୨ୟ ବର୍ଷ ମାଁ ଡୋକରୀ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜକ କମିଟିର କର୍ମକର୍ତ୍ତା ଅନନ୍ତ ଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ସମାଜସେବୀ ବୈଦ୍ୟ ନାରାୟଣ ଭୋଇ, ମୁଖ୍ୟ ବକ୍ତା ସାହିତ୍ୟିକ ପଦ୍ମ ଲୋଚନ ମିଶ୍ର, ସମ୍ମାନୀତ ଅତିଥି ବରିଷ୍ଠ ଆଇନଜୀବୀ ହିତେନ୍ଦ୍ର କୁମାର ମହାନ୍ତି, ବିଜେଡି ବ୍ଲକ ସଭାପତି ସତ୍ୟ ନାରାୟଣ ସାହୁ, ଆଇନଜୀବୀ ବିଜୟ ମହାଖୁଡ, ଘାସିରାମ ଧରୁଆ, ସମାଜସେବୀ ଯୋଗେନ୍ଦ୍ର ସେନାପତି, ଜଗତରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷକ ବିଶ୍ବମ୍ବର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ଓ ସଭାପତି ଯୋଗେନ୍ଦ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଜିଲ୍ଲା ବାହାରୁ ଆସିଥିବା କଳାକାର ମାନେ ଝୁମର ନୃତ୍ୟ, ସାଂସ୍କୃତିକ ଦଳ ପକ୍ଷରୁ ଲୋକ ନୃତ୍ୟ, ଲୋକ ନାଟକ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ ।





