ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଞ୍ଚଳରେ ଏକ ପୁରୁଣା କଥା ଅଛି ଯେ,ଏଠି ପତ୍ର ହଲିଲେ ଲାଇଟ ଯାଏ ହେଲେ ଏବେ ସେହି ପତ୍ର ହଲା ବାହାନାକୁ ବିଦ୍ୟୁତ ବିଭାଗ ବାଏ ବାଏ କହି ସାରିଥିବା ବେଳେ ହାତୀ ପଲଙ୍କ ଯାତାୟାତକୁ ନୂଆ ଆଳ କରି ଅଘୋଷିତ ବିଦ୍ୟୁତ କାଟ ଜାରି ରଖିଛି। ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ମୁରିବାହାଲ ବ୍ଲକର ବଡ଼ସାଇମରା,ଇଚ୍ଛାପଡ଼ା,ଚଲକି, ବାନ୍ଦୁପଲା ଓ ସତୀଘାଟ ଅଞ୍ଚଳରେ ଏବେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରବଳ ଖରା ହେଉଥିବା ବେଳେ ବିଗତ ଚାରି ଦିନ ଧରି ବିଦ୍ୟୁତ କାଟ ହୋଇଥିବାରୁ ସାଧାରଣ ଜନଜୀବନ ଅତିଷ୍ଠ ହୋଇପଡ଼ିଛି। ବିଜୁଳି ନଥିବାରୁ କୁନି କୁନି ଶିଶୁମାନେ ଅସହ୍ୟ ଗରମରେ ଛଟପଟ ହେଉଥିବା ବେଳେ ବୃଦ୍ଧବୃଦ୍ଧା ଓ ରୋଗୀମାନେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ବିଶେଷ କରି ସନ୍ଧ୍ୟା ହେଲେ ଅନ୍ଧାର ଯୋଗୁଁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଏବଂ ପାନୀୟ ଜଳ ପାଇଁ ମଧ୍ୟ ଲୋକେ ହାହାକାର କରୁଛନ୍ତି। ଏହାର ପ୍ରତିବାଦରେ ଗତକାଲି ସତୀଘାଟ,ଇଚ୍ଛାପଡ଼ା,ଚଲକି,ବାନ୍ଦୁପଲା ଓ ସମେତ ଆଖପାଖ ଗ୍ରାମର ଶତାଧିକ ଲୋକ ଗୁଡ଼ିଘାଟ-ମୁରିବାହାଲ ମୁଖ୍ୟ ପଥକୁ ଅବରୋଧ କରିଥିଲେ। ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ରାସ୍ତା ରୋକ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜି ପୁଣି ବଡ଼ସାଇମରା,ଚଲକି ଓ ବାନ୍ଦୁପଲାର ପ୍ରାୟ ଶହେରୁ ଉର୍ଦ୍ଧ ଗ୍ରାମବାସୀମାନେ ଏକଜୁଟ ହୋଇ ବିଦ୍ୟୁତ ଗ୍ରୀଡ୍ ସମ୍ମୁଖରେ ଧାରଣା ଦେବା ସହ ଘେରାଉ କରିଛନ୍ତି। ବିଭାଗୀୟ ଅବହେଳା କାରଣରୁ ଗ୍ରାମବାସୀମାନେ ଅନ୍ଧାରରେ ରହି ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁଁ ସେଠାରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାର ଖବର ପାଇ ମୁରିବାହାଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ପ୍ରୟାସ ଜାରି ରଖିଛି l ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟୁତ ବିଭାଗ କେବଳ ହାତୀଙ୍କ ଆଳ ଦେଖାଇ ଲାଇଟ କାଟୁଛି। ହାତୀଙ୍କର ଗତିବିଧି ଯେଉଁ ସୀମିତ ଅଞ୍ଚଳରେ ରହୁଛି ସେଠାରେ ସତର୍କତା ପଦକ୍ଷେପ ସ୍ୱରୂପ ବିଦ୍ୟୁତ କାଟ କରାଯାଉ, ଆମେ ମନା କରୁନାହୁଁ କିନ୍ତୁ ବିନା କାରଣରେ ସମଗ୍ର ଅଞ୍ଚଳର ବିଜୁଳି ସଂଯୋଗ ବନ୍ଦ ରଖି ସାଧାରଣ ଜନତାଙ୍କୁ ହଇରାଣ କରିବା ଠିକ ନୁହେଁ। ବିଭାଗୀୟ କର୍ମଚାରୀଙ୍କ ଏପରି ମନମୁଖୀ କାର୍ଯ୍ୟକୁ ଗ୍ରାମବାସୀମାନେ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଜିଦ୍ ଧରିଛନ୍ତି। ଯଦି ଆଗାମୀ ସମୟରେ ବିଭାଗ ତରଫରୁ ବିଦ୍ୟୁତ ସ୍ୱାଭାବିକ କରା ନ ଯାଏ ଏବଂ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆନଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।





