ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା/ କୋକସରା (ହିରଣ୍ୟ ବେହେରା): ଧାନ ପଞ୍ଜିକରଣ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀମାନଙ୍କ ଆନ୍ଦୋଳନ ଏବେ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ୧୧ ଦିନ ଧରି ଗଣଧାରଣା ଦେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ନିଆନଯିବାରୁ, ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଏହି ୩ ବ୍ଲକର ଚାଷୀ। ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିର ପରିସରରୁ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ପ୍ରାୟ ୨୫ ଗୋଟି ପଞ୍ଚାୟତର ଶହ ଶହ ଚାଷୀ ଏକତ୍ରିତ ହେବାପରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କୃଷକ ସଂଘର ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କୃଷକ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତାଙ୍କ ସଭାପତିତ୍ବରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିବା ବେଳେ ବରିଷ୍ଠ ନେତା ବରିଷ୍ଠ ନେତା ଦିଗାମ୍ବର ଦୁରିଆ ସଂଯୋଜନା କରିଥିଲେ। ଏହାକୁ ସମର୍ଥନ ଜଣାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଲଲିତା ନାଏକ, ଦୁଷ୍ମନ୍ତ ନାଏକ, ଧର୍ମେନ୍ଦ୍ର ନାଏକ, ସାମନ୍ତ ଖମାରୀ, ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ବଦ୍ରୀନାରାୟଣ ପଟ୍ଟନାୟକ, ଦୁର୍ଗା ନାଏକ, ମାନସ ରଞ୍ଜନ ବାଗ, ଗୋବର୍ଦ୍ଧନ ବାଗ ସମେତ ବିଜେଡି, କଂଗ୍ରେସ ଏବଂ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନର ନେତୃବୃନ୍ଦ ସାମିଲ ହୋଇଥିଲେ। ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ତିବ୍ର ବିରୋଧ କରିବା ସହ ୧୫ ହଜାର ଚାଷୀଙ୍କ ପ୍ରତି ପାତରଅନ୍ତର କରୁଥିବା ନେଇ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ ନେତୃବୃନ୍ଦ। ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଚାଷ କରିଥିବା ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଦାବି କରିଥିଲେ। ନଚେତ୍ ଏହି ଆନ୍ଦୋଳନ ଆଗକୁ ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ମେଗାଲିଫ୍ଟ କୃଷକ ସଂଘର ନେତୃତ୍ୱରେ ଚାଲିଥିବା ଏହି ସଂଗ୍ରାମର ମୁଖ୍ୟ ଦାବି ହେଉଛି ରବିଧାନ ପଞ୍ଜିକରଣ ପାଇଁ ପି-ପାସ୍ ପୋର୍ଟାଲ୍ ତୁରନ୍ତ ଖୋଲିବା। ସୂଚନା ଅନୁଯାୟୀ, ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ଆସୁଥିବା କୋକସରା, ଜୟପାଟଣା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକର ପ୍ରାୟ ୧୮,୮୫୫ ହେକ୍ଟର ଚାଷ ଜମିର ରବିଧାନ ପଞ୍ଜିକରଣ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ସରକାରୀ ପୋର୍ଟାଲ୍ ରେ ମେଗା ଉଠା ଜଳସେଚନ ବିକଳ୍ପ ଆସି ନଥିବାରୁ ଚାଷୀମାନେ ନିଜ ନାମ ପଞ୍ଜିକରଣ କରିପାରୁ ନାହାନ୍ତି, ଯାହାଫଳରେ ଅମଳ ସମୟ ପାଖେଇ ଆସୁଥିଲେ ମଧ୍ୟ ସେମାନେ ଧାନ ବିକ୍ରି କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ସମସ୍ୟାକୁ ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଚାଷୀ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମଧ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଦାବି କରିଥିଲେ। ତେବେ ବିଧାୟକ ଦେଇଥିବା ଚିଠିର ଉତ୍ତରରେ ରାଜ୍ୟ ଡେପୁଟି ସଚିବ କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଥିଲା। ବର୍ତ୍ତମାନ ସ୍ଥିତିରେ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବା ସମ୍ଭବ ନୁହେଁ, ପରବର୍ତ୍ତୀ ସମୟରେ ପଞ୍ଜୀକରଣ ଓ ଧାନ ବିକ୍ରି ନିମନ୍ତେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଅନ୍ୟପଟେ ଇନ୍ଦ୍ରାବତୀ ବାମ ଓ ଡାହାଣ କେନାଲ ଅଞ୍ଚଳର ଚାଷୀ ମାନେ ସହଜରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ମେଗା ଉଠାଜଳସେଚନ ଅଞ୍ଚଳର ଚାଷୀଙ୍କ ପ୍ରତି ସରକାରଙ୍କ ପାତର ଅନ୍ତର କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପୂର୍ବରୁ ଚାଷୀମାନେ ନିଜର ଦାବି ପୂରଣ ପାଇଁ କୋକସରା ଠାରେ ୨୬ ନମ୍ବର ଜାତୀୟ ରାଜପଥ (ଭବାନୀପାଟଣା-ଜୟପୁର ରାସ୍ତା) ଅବରୋଧ କରିବା ସହ ୧୦ ଘଣ୍ଟିଆ କୋକସରା ବନ୍ଦ ଡାକରା ଦେଇଥିଲେ। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏହା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ଆସି ନଥିଲା। ତା ପରଠାରେ ଚାଷୀମାନେ ଜାତୀୟ ରାଜପଥ କଡ଼ରେ ଗଣଧାରଣା ଦେଇଥିଲେ। ଏବଂ ୧୨ ଦିନର ଗଣଧାରଣା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ସଚୀନ ପାୱାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ଗତକାଲି ଠାରୁ କୋକସରାଠାରେ ୪୮ ଘଣ୍ଟା ପାଇଁ ଚାଷୀମାନେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଯଦି ଏହାପରେ ମଧ୍ୟ ସରକାର ନଶୁଣନ୍ତି, ତେବେ ଆମପାଣିଠାରେ ଜାତୀୟ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନକୁ ଜିଲ୍ଲାବ୍ୟାପୀ ଉଗ୍ର ରୂପ ଦିଆଯିବ ବୋଲି ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘ ଚେତାବନୀ ଦେଇଛି।





