ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସେବାନିବୃତ୍ତ ଶିକ୍ଷାବିତ୍ ତଥା ବିଶିଷ୍ଟ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ପରୀକ୍ଷା ଉଚ୍ଛେଦ କରାଯିବା ନିଷ୍ପତ୍ତି ଓଡ଼ିଆ ଭାଷାକୁ ଶିକ୍ଷା ବ୍ୟବସ୍ଥାରୁ ଦୂରେଇ ଦେବାର ଏକ ସୁଚିନ୍ତିତ ଚକ୍ରାନ୍ତ। ସେ ଏହି ଏକତରଫା ନିଷ୍ପତ୍ତି ବିରୋଧରେ ଓଡ଼ିଶା ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜରୁରୀ ବିବୃତି ଜାରି କରି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ, ଯେଉଁ ମାତୃଭାଷା ଶିକ୍ଷାର ପ୍ରଥମ ଓ ପ୍ରଧାନ ଭାଷାର ମର୍ଯ୍ୟାଦା ପାଇବା କଥା, ସିବିଏସଇ ନିଜର ମନମୁଖୀ ଗାଇଡ଼ଲାଇନ ବଳରେ ତାହାକୁ ତୃତୀୟ ଭାଷାର ସ୍ଥାନକୁ ଠେଲି ଦେଇଛି। ବର୍ତମାନ ଇଂରାଜୀକୁ ପ୍ରଥମ ଏବଂ ହିନ୍ଦୀକୁ ଦ୍ୱିତୀୟ ସ୍ଥାନ ଦିଆ ଯାଇଥିବା ବେଳେ ଆଞ୍ଚଳିକ ମାତୃଭାଷାକୁ ଅବହେଳିତ ତୃତୀୟ ସ୍ଥାନରେ ରଖାଯାଇଛି। ନିୟମ ଅନୁସାରେ ଯେଉଁ ରାଜ୍ୟର ପିଲା, ସେହି ରାଜ୍ୟର ଭାଷା ହିଁ ପ୍ରଥମ ଭାଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ପୂର୍ବରୁ ଇଂରାଜୀ ସହିତ ହିନ୍ଦୀ, ଓଡ଼ିଆ କିମ୍ବା ସଂସ୍କୃତ ମଧ୍ୟରୁ ଛାତ୍ରଛାତ୍ରୀମାନେ ନିଜ ରୁଚି ଅନୁସାରେ ବିଷୟ ନିର୍ବାଚନ କରି ପରୀକ୍ଷା ଦେଉଥିଲେ। ମାତ୍ର ବର୍ତମାନର ଏହି ନୂତନ ନିୟମ ଯୋଗୁଁ ଓଡ଼ିଶାରେ ଥାଇ ମଧ୍ୟ କେତେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓଡ଼ିଆ ଭାଷାକୁ ସଂପୂର୍ଣ୍ଣ ବାଦ୍ ଦେଇ କେବଳ ହିନ୍ଦୀ ଓ ସଂସ୍କୃତ ପଢ଼ାଉଛନ୍ତି, ଯାହା ଅତ୍ୟନ୍ତ ପରିତାପର ବିଷୟ।
ଡକ୍ଟର ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟରେ ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଯଦି ସେହି ରାଜ୍ୟର ସ୍ୱାଭିମାନ ଓ ମାତୃଭାଷାକୁ ଗୁରୁତ୍ୱ ଦିଆନଯିବ, ତେବେ ସରକାର ମାତୃଭାଷାର ଭବିଷ୍ୟତକୁ କେଉଁ ଆଡ଼କୁ ନେଇଯାଉଛନ୍ତି ବୋଲି ପ୍ରଶ୍ନ ଉଠିବ। କେବଳ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ତ୍ରିଭାଷା ସୂତ୍ର ଅଧୀନରେ ଓଡ଼ିଆ ପଢ଼ିବେ ଏବଂ ଦଶମ ଶ୍ରେଣୀରେ ବୋର୍ଡ ପରୀକ୍ଷା ଦେବେ ନାହିଁ, ଏହା ଏକ ବିକୃତ ମାନସିକତା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରେ ସିବିଏସଇ ଛାଡ଼ି ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କଲେଜରେ ନାମ ଲେଖାଇବେ, ସେମାନେ ଓଡ଼ିଆ ଭାଷାକୁ କିପରି ଆୟତ୍ତ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ମନେ ପକାଇ ଦେଇଛନ୍ତି ଯେ ବିଗତ ଦିନରେ ମାତୃଭାଷା ଓଡ଼ିଆ ପାଇଁ ହିଁ ସିବିଏସଇର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିଲେ। ତେଣୁ ଓଡ଼ିଆ ଭାଷାର ଅସ୍ତିତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ବୋଲି ଡକ୍ଟର ପଟ୍ଟନାୟକ କହିଛନ୍ତି। ମାନ୍ୟବର ଶିକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପୂର୍ବଭଳି କିପରି ତୃତୀୟ ଭାଷା ଭାବେ ଓଡ଼ିଆ ପରୀକ୍ଷା ଦେଇପାରିବେ, ସେଥିପାଇଁ ଏକ ଦୃଢ଼ ସରକାରୀ ଆଦେଶନାମା ଜାରି କରନ୍ତୁ ବୋଲି ସେ ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ଜୋରଦାର ଦାବି କରିଛନ୍ତି।





