ଧନସରା ବାଳିକା ଉଚ୍ଚ ବିଦ୍ୟାଳୟ ସାଜିଛି ଧାନଖଳା

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଧନସରା ଗ୍ରାମରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଏବେ ଶିକ୍ଷାଦାନ ବଦଳରେ ବେଆଇନ ଧାନ ଖଲା ପାଲଟିଥିବା ଅଭିଯୋଗ ହୋଇଛି। ଗ୍ରାମର ଜନୈକ ବ୍ୟକ୍ତି ବିଦ୍ୟାଳୟ ପରିବେଶ ମଧ୍ୟରେ ନିଜର ବହୁ ପରିମାଣର ଧାନ ଟ୍ରାକ୍ଟର ଟ୍ରାକ୍ଟର ନେଇ ବେଧଡ଼କ ଭାବେ ଗଚ୍ଛିତ କରି ରଖୁଥିବା ଜଣାପଡ଼ିଛି। ସରକାରୀ ଶିକ୍ଷାନୁଷ୍ଠାନ ଭିତରେ କେଉଁ ପରିସ୍ଥିତିରେ ଏବଂ କାହା ସ୍ୱାର୍ଥରେ ଏଭଳି ବ୍ୟକ୍ତିଗତ ଜିନିଷ ରଖାଯାଇଛି, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ବଡ଼କଥା ହେଲା ଏହା କୌଣସି ସାଧାରଣ ସ୍କୁଲ ନୁହେଁ ଏହା ବାଳିକା ଉଚ୍ଚ ବିଦ୍ୟାଳୟ ଅଟେ। ଏଠାରେ ଛାତ୍ରୀଙ୍କ ଅବିଭାବକ ମଧ୍ୟ ଯିବାକୁ ହେଲେ ଅନୁମତି ନେବାକୁ ପଡ଼ିଥାଏ। ଶିକ୍ଷା ବିଭାଗର ନିୟମ ଅନୁଯାୟୀ, ବିଦ୍ୟାଳୟ ପରିସରକୁ କୌଣସି ବ୍ୟକ୍ତିଗତ ବ୍ୟବସାୟିକ କିମ୍ବା ବେଆଇନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ଧନସରା ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ବିଦ୍ୟାଳୟ ଭିତରେ ଧାନ ରଖିବା ପାଇଁ କିଏ ଏବଂ କେଉଁ ଆଧାରରେ ଅନୁମତି ଦେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଏହି ସମଗ୍ର ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ବିଦ୍ୟାଳୟର ମୁଖ୍ୟ ଥାଇ ମଧ୍ୟ ସେ ଏହି ବିଷୟରେ ଅବଗତ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଯଦି ସେ ଜାଣିନାହାନ୍ତି, ତେବେ ଏହା ତାଙ୍କର ଦାୟିତ୍ୱହୀନତାକୁ ଦର୍ଶାଉଛି। ଅନ୍ୟପଟେ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସବୁ କିଛି ଜାଣିଶୁଣି ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ବେଆଇନ ଭାବେ ପ୍ରଶ୍ରୟ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀ ଏହି ଘଟଣାର ସରଜମିନ ତଦନ୍ତ କରନ୍ତୁ, ଏଥିସହିତ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏବଂ ତାଙ୍କୁ ସହଯୋଗ କରିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସରକାରୀ ଅନୁଷ୍ଠାନର ଅପବ୍ୟବହାର ଏବଂ କ୍ଷମତାର ଅପପ୍ରୟୋଗ ଶିକ୍ଷାର ବାତାବରଣକୁ ନଷ୍ଟ କରୁଛି। ଶିକ୍ଷା ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି। ଏ ବିଷୟରେ ଦାୟିତ୍ୱରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ନାଏକଙ୍କ ପ୍ରତିକ୍ରିୟା ନେବାରୁ ଧାନ ରଖାଯାଇଥିବା କଥାକୁ ସ୍ବୀକାର କରିଛନ୍ତି, ଏବଂ ଯିଏ ଧାନ ରଖିଛନ୍ତି ସେ ସ୍କୁଲର ଜଣେ ନାଇଟ ୱାଚର, ବର୍ତ୍ତମାନ ସ୍କୁଲ ଛୁଟି ରହିଛି ତେଣୁ ଧାନ ସୁଖାଇବା ପାଇଁ ସେ କହିବାରୁ ଆମେ ହଁ କରିଥିଲୁ, ବିଦ୍ୟାଳୟର ଅନ୍ୟମାନେ ମଧ୍ୟ ଜାଣିଛନ୍ତି ସେ କୌଣସି ବାହର ଷ୍ଟାଫ୍ ନୁହଁନ୍ତି ବୋଲି କହିଛନ୍ତି। ସେହିପରି କୋକସରା ବ୍ଲକ ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ଅଧିକାରୀ ଭବାନୀଶଙ୍କର ଜେନାଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.