ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ଟୋଳବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ବେହେରା ରବିବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ବରିଷ୍ଠ ଅମଲା ଜୟଚନ୍ଦ୍ର ହାତୀ, ପ୍ରସିଦ୍ଧ ପାରମ୍ପରିକ ଚିକିତ୍ସକ ବୈଦ୍ୟରାଜ ପବିତ୍ର ଶବର, ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ, ବରିଷ୍ଠ ଶିକ୍ଷାବିତ୍ ସାଧୁରାମ ଭୋଇ, ସରିଆଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା, ନର୍ଲା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୀନକେତନ ସାହୁ ଓ ସଂପାଦକ ଅମିତ୍ ଶର୍ମା, ସେବାନିବୃତ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସହକାରୀ ଶିକ୍ଷୟିତ୍ରୀ ସୁରୁବାନୀ ଶବର, ସେବାନିବୃତ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନବୀନ ଗଉଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ଶିକ୍ଷାବିତ୍ ତଥା ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିଲେ।
ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ବେହେରାଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଦସ୍ତାବିଜ୍ ପ୍ରଦାନ କରାଯାଇଥିବା ବେଳେ ନର୍ଲା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରୀ ବେହେରା ଓ ତାଙ୍କ ଧର୍ମପତ୍ନୀ ସବିତା ବେହେରାଙ୍କ ପଦଧୌତ କରି ସମବେତ ଗୁରୁପୂଜନ କରିଥିଲେ। ଏଥିରେ ଅଭିଭାବକ ଅଭିଭାବିକା ତଥା ଗ୍ରାମବାସୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପୁରାତନ ଛାତ୍ର ଟୁକୁଲାଲ ଶବର।
ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ତଥା ଅଞ୍ଚଳର ବିଶିଷ୍ଟ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସମବେତ ଜନତା ଶ୍ରୀ ବେହେରାଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ତାଙ୍କ କାଣ୍ଡେଲ ସ୍ଥିତ ବାସଭବନରେ ପହଞ୍ଚାଇ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବେହେରା ଏହି ବିଦ୍ୟାଳୟରେ ଦୀର୍ଘ ୨୮ ବର୍ଷ ଧରି ଶିକ୍ଷାଦାନ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୈକ୍ଷିକ ଓ ସାମଗ୍ରିକ ବିକାଶ ଦିଗରେ ସଦା ତତ୍ପର ଥିଲେ। ଏହି ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଅଂଶଗ୍ରହଣ କରିଥିଲେ। ସେହିପରି ବିଦ୍ୟାଳୟ ପରିବେଶ ତଥା ଶୈକ୍ଷିକ ବାତାବରଣ ତିଆରିରେ ତାଙ୍କର ଅବଦାନ ରହିଥିଲା।

ସେହିପରି ବୁଦେଲପଦର ପ୍ରାଥମିକ ବିଦ୍ୟାଳୟର ଗୁଣନିଧି ପଧାନ ଓ ଉଲିକୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପର୍ଶୁରାମ ସାହୁ ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ମଧ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।





