ପାନୀୟ ଜଳ ପାଇଁ ବ୍ଲକ୍ ସମ୍ମୁଖରେ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ଆମରଣ ଅନଶନ

ଶତାଧିକ ମହିଳା ଓ ବିକାଶମଞ୍ଚ ମୁରିବାହାଲ ରାଜ ରାସ୍ତାରେ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ପାନୀୟ ଜଳ ପାଇଁ  ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ମୁରିବାହାଲ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ତାଙ୍କୁ ସମର୍ଥନ କରି ବିକାଶ ମଞ୍ଚ ମୁରିବାହାଲ ବ୍ଲକ ଓ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ରୋକ କରିଛନ୍ତି। ପଞ୍ଚାୟତରେ ନା ଅଛି ‘ଜଳ ଛତ୍ର’ ନା ହେଉଛି ଜଳ ଯୋଗାଣ, ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀଙ୍କ ଏଭଳି ସ୍ଥାଣୁତା ବିରୁଦ୍ଧରେ ଆଜି ଗର୍ଜିଛନ୍ତି ଜନପ୍ରତିନିଧି ଚକ୍ରଧର ହେର୍ଣ୍ଣା। ଅଭିଯୋଗ ଅନୁସାରେ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତର ଗ୍ରାମବାସୀ। ସରକାରୀ ନିୟମ ଅନୁଯାୟୀ, ପ୍ରତି ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ଖୋଲିବା କଥା, କିନ୍ତୁ ପଞ୍ଚାୟତ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଲୋକେ ଢୋକେ ପାଣି ପାଇଁ ମାଇଲ୍ ମାଇଲ୍ ଚାଲୁଛନ୍ତି ହେଲେ ପାଣି ଟୋପାଏ କେଉଁଠି ବି ପାଇ ପାରୁନାହାଁନ୍ତି। ଏହାର ପ୍ରତିବାଦରେ ସୋମବାର ସକାଳୁ ସ୍ଥାନୀୟ ମହିଳାମାନେ ଖାଲି ଗରିଆ ଓ ବାଲ୍ଟି ଧରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ତେବେ ସମିତି ସଭ୍ୟ ଘଣ୍ଟା ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ କୌଣସି ଅଧିକାରୀ ଦେଖା ଦେଇ ନ ଥିଲେ। ପରେ ୬ ଘଣ୍ଟା ପରେ ବିଡିଓ ବାସନ୍ତୀ ସେଠୀ ଓ ତହସିଲଦାର ଜଗଦିଶ କର୍ତ୍ତାମୀ ଆସି ବୁଝାସୁଝା କରି ପାଣି ସମସ୍ୟାର ସମାଧାନ ପାଇଁ ଲିଖିତ ଆକାରରେ ଦେଇଥିଲେ। ପରେ ଜନପ୍ରତିନିଧି ଶ୍ରୀ ହେର୍ଣ୍ଣାଙ୍କ ସମେତ ଶତାଧିକ ମହିଳା ଓ ବିକାଶ ମଞ୍ଚର ସଦସ୍ୟମାନେ ଅନଶନରୁ ଓହରି ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.