ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାୟଗଡାର ତେଜସୀ ଆନ୍ତର୍ଜାତିୟ ହୋଟେଲ ରୁଷିଆର ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ ସମାରୋହରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସ୍ଥିତ ବିଶ୍ଵନାଥପୁର ମାଁ ହୀରାନିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ରମେଶ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ମାନ ଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଡ଼ଃ ସାହୁଙ୍କୁ ସମ୍ମାନସୂଚକ ଉତ୍ତରୀୟ, ଟ୍ରଫି, ଗାଉଁନ, କ୍ରାଉଁନ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ଅବସରରେ ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ତରଫରୁ ନିୟୁର୍କରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି ଲଣ୍ଡନରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେଇ ଥିବାବେଳେ ରାୟଗଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଃ ଦୁଷ୍ମନ୍ତ ମହାନ୍ତି, ଡଃ ପ୍ରସନ୍ନ ଗନ୍ତାୟତ ଯୋଗଦେଇ ଆଇନର ସମାଜରେ ଉପଯୋଗିତା ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିଲେ। ଏଥିରେ ଉତ୍କଳ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଶୋକ କୁମାର ମିଶ୍ର ସଭାପତିତ୍ବ କରିଥିଲେ। ତେବେ ଡ଼ଃ ସାହୁ ଏହି ସଫଳତା ପାଇଁ ସେ ସମସ୍ତ ଜନସାଧାରଣ ଓ ମାଁ ହୀରାନିଳାଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି। ଡ଼ଃ ସାହୁ ଏହି ସଫଳତା ପାଇବା ପରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।





