ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଏବଂ ସ୍ଥାନୀୟ ବିକାଶକୁ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରିଛି ଏକ ପ୍ରତିନିଧି ଦଳ। ପଞ୍ଚାୟତବାସୀଙ୍କ ତରଫରୁ ସାଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଅଞ୍ଚଳର ବିଭିନ୍ନ ଜନସେବା ସମ୍ବନ୍ଧୀୟ ସମସ୍ୟା ଉପରେ ସବିଶେଷ ଆଲୋଚନା କରାଯାଇଛି। ଏହି ଦାବିପତ୍ରରେ ମୁଖ୍ୟତଃ ଆଞ୍ଚଳିକ ଯୋଗାଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ସିକେରକୁପା ଠାରୁ ଜାମପଦର ମୁଖ୍ୟ ରାସ୍ତା ନିର୍ମାଣ। ସ୍ଥାନୀୟ ଅଞ୍ଚଳରେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ। ସ୍ଥାନୀୟ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି। ଭୂ-ନିରୀକ୍ଷକ ଏବଂ ପ୍ରାଣୀ ଚିକିତ୍ସାଳୟ ପାଇଁ ନୂତନ ଗୃହ ନିର୍ମାଣ। କାଉଗୁଡା ଓ ଲାଞ୍ଜିଗଡ଼ରୋଡ଼ ରାସ୍ତା ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ। ଏହି ସମସ୍ତ ଦାବିକୁ ସାଂସଦ ଗମ୍ଭୀରତାର ସହ ଶୁଣିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏସବୁ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସାକ୍ଷାତକାର ସମୟରେ ପଞ୍ଚାୟତର ପ୍ରତିନିଧି ଭାବେ ଚନ୍ଦ୍ରଶେଖର ମହାପାତ୍ର, ମିଲନ ମହାପାତ୍ର, ସୌମ୍ୟ ରଞ୍ଜନ ପାତ୍ର,ଉଆଁସୁ ପରଭୋଇ, ରଶ୍ମି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।





