ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳା: ସମସ୍ୟାର ସମାଧାନ ପାଇଁ ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି ପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ଅବହେଳା ନେଇ ବାରମ୍ବାର ଅଭିଯୋଗ ଆସୁଛି। କେତେବେଳେ ରୋଗୀ ବେଡ୍ ଟିଏ ପାଇବା ପାଇଁ ସକ୍ଷମ ହେଉନିତ ଆଉ କେତେ ବେଳେ ହସ୍ପିଟାଲ ଦାଣ୍ଡରେ ବେଞ୍ଚ ଉପରେ ବସେଇ ଅକ୍ସିଜେନ ଲଗାଯାଇଥିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ଏନେଇ ଆଜି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି ପତ୍ର ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ମେ ୨୬ ରେ ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ସରିଆଁ ଗାଁର ୫୫ ବର୍ଷୀୟ ସ୍ନେହଲତା ବାହିନୀପତିଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ପୁଅ ଆଶୁତୋଷ ବାହିନୀପତି ସଙ୍ଗୀନ ଅଭିଯୋଗ କରିଥିଲେ। ଏହାପରେ ଗତକାଲି ଜଣେ ରୋଗୀଙ୍କୁ ବାରଣ୍ଡାରେ ଅକ୍ସିଜେନ ଲଗାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଲାଇଭ ରେକଡିଂ ହୋଇଛି। ପରବର୍ତ୍ତୀ ସମୟରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ବରଣ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ୪ମହଲା MCH କୋଠାରେ ଲିଫ୍ଟ କାମ କରୁନି। ଶୌଚାଳୟ ଅଛି କିନ୍ତୁ ବ୍ୟବହାର କରିବା ସ୍ଥିତିରେ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ମାନେ କେବଳ ମିଟିଂରେ ବ୍ୟସ୍ତ। ଜିଲ୍ଲାପାଳ କଳାହାଣ୍ଡିଙ୍କ ତଦାରଖ ଓ ପରିଦର୍ଶନର ଅଭାବ ଆହୁରି ରୋଗୀଙ୍କୁ ହଇରାଣରେ ପକାଉଛି ବୋଲି ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁର କହିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ନିଶ୍ଚିତ କରିବା ସହ ସମସ୍ୟାର ସମାଧାନ ପାଇଁ ଯୁବ ବିଜେଡି ନେତା ଶିବା ସାହୁ, ଛାତ୍ର ନେତା ମାନସ ସିନ୍ଦୂର, ନିମସ ତାଣ୍ଡି, ଅଂଶୁ ନାଗ, ରାମ ବାଗ ପ୍ରମୁଖ ଦାବିପତ୍ର ଦେଇଛନ୍ତି। ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.