ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡ଼ିଶା ଡିଜିଟାଲ୍ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଆସନ୍ତା ନଭେମ୍ବର ୧୩, ୧୪ ଓ ୧୫ ତାରିଖରେ ରାଉରକେଲାର ବର୍ତ୍ତୋଲିସ୍ଥିତ ପଦ୍ମିନୀ ପ୍ୟାଲେସ୍ଠାରେ ଆୟୋଜିତ ହେବାକୁ ଥିବା ତିନି ଦିନିଆ ରାଜ୍ୟ ସ୍ତରୀୟ ମିଡ଼ିଆ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଓଡିଏମଏମ ରାଜ୍ୟ ଉପ ସଭାପତି ପଦ୍ମନ ଭତ୍ରା, ପ୍ରତିନିଧି ସନ୍ତୋଷ କୁମାର ବଛା ଓ ମୁନିଗୁଡ଼ା ବ୍ଲକର ପ୍ରତିନିଧି ପ୍ରସାଦ ସାହୁକାର। ଏହି ଶିବିରରେ ଡିଜିଟାଲ୍ ସାମ୍ବାଦିକତାର ଆଧୁନିକ କୌଶଳ, ଖବର ଉପସ୍ଥାପନାର ଗୁଣବତ୍ତା, ଗଣମାଧ୍ୟମର ନୈତିକତା, ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ, ଅଭିବ୍ୟକ୍ତିର ସ୍ୱାଧୀନତା, ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟର ୩୦ଟି ଜିଲ୍ଲାରୁ ମନୋନୀତ ୬୦ ଜଣ ଡିଜିଟାଲ୍ ମିଡ଼ିଆ ପ୍ରତିନିଧି ଏହି ଶିବିରରେ ଯୋଗଦେବେ। ପ୍ରଶିକ୍ଷଣ ପରେ ମନୋନୀତ ସଦସ୍ୟମାନେ ନିଜ ନିଜ ଜିଲ୍ଲାରେ ମଧ୍ୟ ପ୍ରଶିକ୍ଷଣ ଶିବିର ଆୟୋଜନ କରି ତୃଣମୂଳ ସ୍ତରର ସାମ୍ବାଦିକମାନଙ୍କୁ ଏହି ଜ୍ଞାନ ଓ ଅନୁଭୂତି ବାଣ୍ଟିବେ। ଏହି ପ୍ରଶିକ୍ଷଣ ଶିବିର ଡିଜିଟାଲ୍ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ସହ ଦାୟିତ୍ୱପୂର୍ଣ୍ଣ ଓ ଗୁଣାତ୍ମକ ସାମ୍ବାଦିକତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।





