ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ଜଣେ ଜନପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ରାତିରେ ସେ ତାଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜୁନାଗଡ ବ୍ଲକର ମହିଚଲା ଗାଁରେ ଜନ୍ମିତ ସ୍ବର୍ଗତ ବେହେରା ଦୁଇ ଥର ବିଧାୟକ ଓ ଥରେ ଲୋକସଭା ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କୃଷି ମନ୍ତ୍ରୀ ମଧ୍ୟ ରହିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ଜଣେ ଆଦର୍ଶବାଦୀ ନେତା ଭାବରେ ସେ ରାଜ୍ୟ ରାଜନୀତି ସହ ଜଡିତ ଥିଲେ। କଳାହାଣ୍ଡି ଜିଲ୍ଲାରେ କଂଗ୍ରେସକୁ ମଜଭୁତ କରିବାରେ ମଧ୍ୟ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା। ଜଣେ ସାହିତ୍ୟିକ ଓ ସଂପାଦକ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାସାରା ଶୋକର ଛାୟା ଖେଳିଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ, ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ, ସାଧାରଣ ସମ୍ପାଦକ ନୀରଜ ଶର୍ମା, ଜିଲ୍ଲା ଛାତ୍ର ନେତା ଦେବାଶିଷ କୁମାର, ବରିଷ୍ଠ ନେତା ଦେବୀଦେବ ଶର୍ମା ପ୍ରମୁଖଙ୍କ ସହ ଅନେକ ରାଜନେତା ଓ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।





